ବିଶ୍ୱ ଅଙ୍ଗ ଦାନ ଦିବସ ପାଳିତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଅଙ୍ଗଦାନ ଏକ ମହତ୍ ଦାନ । ପ୍ରତିବର୍ଷ ଅଗଷ୍ଟ ମାସର ୧୩ ତାରିଖରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ । ମୃତ୍ୟୁ ପରେ, ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା ଏହି ଦିବସର ଉଦ୍ଦେଶ୍ୟ । ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଯିଏକି ଅନ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଵଇଚ୍ଛାରେ ନିଜ ମୃତ ପୁତ୍ରର ଅଙ୍ଗ ଦାନ କରିଥିଲେ ଏବଂ ରାଜ୍ୟରେ ସ୍ଵେଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିଥିଲେ, ସେମାନଙ୍କ ପ୍ରେରଣାଦାୟକ ତଥା ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅଙ୍ଗ ଦାତାମାନଙ୍କୁ ଏବଂ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନଗୁଡିକୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ରେ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ସ୍ୱର୍ଗତ ସୂରଜ ବେହେରାଙ୍କ ସମ୍ମାନରେ ବାର୍ଷିକ ପୁରସ୍କାର “ସୂରଜ ପୁରସ୍କାର ” ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ହୃତପିଣ୍ଡ, ବୃକକ ଏବଂ ଯକୃତ ମଧ୍ୟରୁ କୌଣସି ଗୋଟିଏ ଅଙ୍ଗ କିମ୍ବା ତତୋଧିକ ଅଙ୍ଗ ଦାନ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଛି । ହୃତପିଣ୍ଡ, ବୃକକ, ଯକୃତ, ଅଗ୍ନାଶୟ, ଫୁସଫୁସ ଏବଂ ଅନ୍ତନଳୀ ଆଦି ମହତ୍ୱପୂର୍ଣ୍ଣ ଅଙ୍ଗ ଦାନ କରିଥିବା ମୃତକ ଏବଂ ସେମାନଙ୍କ ପରିବାରର ନିସ୍ୱାର୍ଥପର ଓ ବୀରତ୍ୱର ଅବଦାନକୁ ସମ୍ମାନ ଜଣାଇ ମୃତକ ମାନଙ୍କର ଶେଷକୃତ୍ୟ ସପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ କରାଯାଉଛି । ଆଜି ରାଜ୍ୟ ସ୍ତରୀୟ ଉତ୍ସବରେ ବିଭିନ୍ନ ଜିଲ୍ଲା ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ବିଭିନ୍ନ ଜିଲ୍ଲାର ୧୯ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱର୍ଗତ ମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓସ୍ୱାନ ହଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡ ନଂ ୨୧, ମୁର୍ଗାବାଡି ନିବାସୀ ସ୍ଵର୍ଗତ ସ୍ଵଶ୍ରୀୟାନ ପାତ୍ରଙ୍କୁ ମହତ କର୍ମ ନିମନ୍ତେ ଚଳିତ ବର୍ଷ ସୂରଜ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କ ପିତା ଶ୍ରୀକୃଷ୍ଣ ପାତ୍ର ଜିଲ୍ଲାପାଳ ହେମକାନ୍ତ ସୟଙ୍କଠାରୁ ଏହା ଗ୍ରହଣ କରିଥିଲେ । ​ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଡକ୍ଟର ମୁକେଶ ମହାଲିଙ୍ଗ ମୃତ ଅଙ୍ଗଦାତା ମାନଙ୍କୁ ସେମାନଙ୍କର ବୀରତ୍ଵ ପାଇଁ ପ୍ରଶଂସା କରିବା ସହ ଚଳିତ ବର୍ଷ ସୂରଜ ପୁରସ୍କାର ମାଧ୍ୟମରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା କିଶୋର କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଏ ଡି ଏମ ଓ ଡ଼ା ବିଜୟ କୁମାର ଦାଶ, ଜିଲ୍ଲା ଜରୁରୀ କାଳୀନ ପରିଚାଳନା ଅଧିକାରିଣୀ ଶ୍ରଦ୍ଧା ସୁମନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,ଏନ.ଆର.ଏଚ ଏମ.ର.ଡି.ପି.ଏମ ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.