ବଲାଙ୍ଗିର, (କେପିଏନ୍ଏସ୍) : ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ଓ ଦେଶର ବିକାଶ ହୋଇଥାଏ । ଏହି କଥାକୁ ଲକ୍ଷ୍ୟ ରଖି ବଲାଙ୍ଗିର ଜିଲ୍ଲା ମନହୀରା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ଏକ ଶିକ୍ଷା ଅନୁଷ୍ଠାନ ଖୋଲାଯାଇ ବିନା ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ଅନୁଷ୍ଠାନକୁ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ତଥା ଅମାମୁଣ୍ଡା, ବାଗପଡ଼ା, ମନହୀରା ଓ ଭଇଁଷାରୁ ସବୁ ସଂପ୍ରଦାୟ ଛାତ୍ରଛାତ୍ରୀମାନେ ଶିକ୍ଷା ନେବା ସକାଶେ ଆସିଥାନ୍ତି । ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଶିଶିର ଚନ୍ଦ ନାଗ, ଏଂଜେଲା ନାଗ ଓ ବବିତା ନାଗ ନିଃସ୍ୱାର୍ଥପର ଭାବରେ ଶିକ୍ଷାଦାନ କରିଥାନ୍ତି । ଆସନ୍ତା ଜାନୁଆରୀ ୨୦୨୫କୁ ଏହି ଶିକ୍ଷାପ୍ରଦାନ କାର୍ଯ୍ୟଧାରାକୁ ୧୦ ବର୍ଷ ପୂର୍ଣ୍ଣ ହେବ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆସିଥାନ୍ତି । ବର୍ତ୍ତମାନ କେନ୍ଦ୍ରରେ ୮୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ପ୍ରତ୍ୟହ ଛାତ୍ରଛାତ୍ରୀମାନେ ସକାଳ ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ କେନ୍ଦ୍ରକୁ ଆସି ଶିକ୍ଷା ଗ୍ରହଣ କରିଥାନ୍ତି । ପ୍ରତି ବର୍ଷ ପରି ଗତ ୧୪ ତାରିଖ ଦିନ କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଶିଶୁ ଦିବସ ପାଳନ କରାଯାଇଥିଲା । କେନ୍ଦ୍ରକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାରେ ଉତ୍ସାହିତ କରିବା ପାଇଁ ଉକ୍ତ ଦିନ କଲମ ଓ ଚକୋଲେଟ ଉପହାର ପ୍ରଦାନ କରାଯାଇଥିଲା । ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉପାହାର ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କରାଯାଇଥାଏ । ସମସ୍ତ ଜାତୀୟ ପର୍ବ ମଧ୍ୟ ପାଳନ କରାଯାଇଥାଏ ।
Next Post