ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉପକୂଳ ସଫେଇ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ତଟରକ୍ଷୀ ବାହିନୀ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ – ୨୦୨୪ ପାଳିତ ହୋଇଯାଇଛି । ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ହେଉଛି ବିଶ୍ୱର ସବୁଠାରୁ ବଡ଼ ପ୍ରୟାସ, ଯେଉଁଥିରେ ସମଗ୍ର ବିଶ୍ୱର ୧୨ ନିୟୁତରୁ ଅଧିକ ଲୋକ ଏକାଠି ହୋଇ ଏକ ଉତ୍ତମ ଏବଂ ସୁସ୍ଥ ପରିବେଶ ପାଇଁ ସମୁଦ୍ର ଏବଂ ବେଳାଭୂମିକୁ ସଫା କରିବା ପାଇଁ ଅଂଶଗ୍ରହଣ କରନ୍ତି । ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ଦିନ ସାରା ବିଶ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଭାରତୀୟ ତଟରକ୍ଷୀ ବାହିନୀ ପ୍ରତିବର୍ଷ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ଏଜେନ୍ସି, କର୍ପୋରେଟ୍ ସେକ୍ଟର ଏବଂ ବେସରକାରୀ ସଂଗଠନ (ଏନ୍.ଜି.ଓ.)ର ସହଯୋଗରେ ଆନ୍ତର୍ଜାତୀୟ ଉପକୂଳ ସଫେଇ (ଆଇ.ସି.ସି.) ଦିବସ ପାଳନ କରିଥାଏ । ଆନ୍ତର୍ଜାତୀୟ ଉପକୂଳ ସଫେଇ (ଆଇ.ସି.ସି.) ଦିବସ ଅବସରରେ ଭାରତୀୟ ତଟରକ୍ଷୀ କେନ୍ଦ୍ର ଗୋପାଳପୁର ପକ୍ଷରୁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ ଓ ଗୋପାଳପୁର ବନ୍ଦରର ମିଳିତ ଆନୁକୂଲ୍ୟରେ ବଟେଶ୍ୱର ବେଳାଭୂମିରେ ସମୁଦ୍ର କୂଳ ଓ ଉପକୂଳ ସଫେଇ ଅଭିଯାନ ସମ୍ପନ୍ନ ହୋଇଯାଇଛି । ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ମେଜର ଜେନେରାଲ ଈଶ୍ୱର ସିଂହ ପଞ୍ଜରଥ, ସେନା ମେଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଳାଭୂମିକୁ ପରିଷ୍କାର ରଖିବା ଉପରେ ଆଲୋକପାତ କରିଥିଲେ । ତଟରକ୍ଷୀ ବାହିନୀର କର୍ମଚାରୀ ଏବଂ ସେମାନଙ୍କ ପରିବାର, ଶିକ୍ଷାନୁଷ୍ଠାନ, ଏନ୍‌. ଏସ. ଏସ., ଏନ୍. ସି. ସି. କ୍ୟାଡେଟମାନଙ୍କୁ ମିଶାଇ ଏହି ଉପକୂଳ ସଫେଇ କାର୍ଯ୍ୟରେ ୫ ଶହରୁ ଅଧିକ ଉତ୍ସାହୀ ସ୍ୱେଚ୍ଛାସେବୀ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସେମାନେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମେତ ପ୍ରାୟ ୪୫୦ କେ.ଜି. ଆବର୍ଜନା ସଂଗ୍ରହ କରିଥିଲେ । ‘ସ୍ୱଚ୍ଛତା ଦିବସ ଅବସରରେ ଉପକୂଳ, ସୁରକ୍ଷିତ ସମୁଦ୍ର’ ଏବଂ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତ ସମୁଦ୍ରର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.