ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ସୌଜନ୍ୟରେ ଆନ୍ତର୍ଜାତୀୟ ତଟକୂଳ ସ୍ୱଚ୍ଛତା ଦିବସ ପାଳିତ

  • ବଟେଶ୍ୱର ବେଳାଭୂମିରେ ସାମିଲ ହେଲେ ଶହ ଶହ ଏନ୍. ସି. ସି. ବିଦ୍ୟାର୍ଥୀ ଏବଂ ସ୍ଵେଚ୍ଛାସେବୀ ଓ ସାଧାରଣ ନାଗରିକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱର ସର୍ବବୃହତ ତଟକୂଳ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ‘ଆନ୍ତର୍ଜାତୀୟ ସ୍ୱଚ୍ଛତା ଦିବସ’ ଅବସରରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ମିଳିତ ସୌଜନ୍ୟରେ ଆନ୍ତର୍ଜାତୀୟ ସ୍ୱଚ୍ଛତା ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ୨ କିମି ବ୍ୟାପୀ ବଟେଶ୍ୱର ବେଳାଭୂମିରେ ଆୟୋଜନ କରାଯାଇଥିବା ସ୍ୱଚ୍ଛତା ଅଭିଯାନରେ ବନ୍ଦରର ବହୁ ଅଧିକାରୀ, ଉପକୂଳ ତଟରକ୍ଷୀ ସେନା, ବିଭିନ୍ନ ସ୍କୂଲ ଓ କଲେଜ ଏନ୍‌. ସି. ସି. ଛାତ୍ରଛାତ୍ରୀ, ସାଧାରଣ ନାଗରିକ ଓ ସ୍ୱେଚ୍ଛାସେବୀଙ୍କ ସମେତ ୪୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି । ଗୋପାଳପୁର ବନ୍ଦରର ବିଭିନ୍ନ ବିଭାଗର ଏକ ୪୦ ଜଣିଆ ପ୍ରତିନିଧି ଦଳ ଶନିବାର ପ୍ରାତଃ ୭ଟା ସମୟରେ ବଟେଶ୍ଵର ବେଳାଭୂମିରେ ପହଞ୍ଚିଥିଲେ । ଉପକୂଳ ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସ୍ୱଚ୍ଛତା ଅଭିଯାନର ଲକ୍ଷ୍ୟ ହେଉଛି, ବେଳାଭୂମିକୁ ସ୍ୱଚ୍ଛ ରଖିବା ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ପରିବେଶକୁ ସୁରକ୍ଷା ପ୍ରଦାନ କରିବା ଏବଂ ବେଳାଭୂମିକୁ ସମ୍ମାନ ଜଣାଇବାର ଅଭ୍ୟାସ ଜାଗ୍ରତ କରିବା ଯାହା ସାମୁଦ୍ରିକ ଜୈବ ବିବିଧତାକୁ ସମୃଦ୍ଧ କରିବ । ଅଜୟ କୁମାର ମିଶ୍ର, ସିନିୟର୍‌ ଭିପି (ଏଚ୍‌. ଆର୍‌. / ଆଇ. ଆର୍‌.), ଗୋପାଳପୁର ବନ୍ଦର କହିଛନ୍ତି ଯେ, ଆମ ସମୁଦ୍ରର ସୁରକ୍ଷା ଓ ବେଳାଭୂମିକୁ ସ୍ୱଚ୍ଛ ରଖିବାର ସରଳ ମନ୍ତ୍ର ହେଉଛି, ବର୍ଜ୍ୟବସ୍ତୁ ବିଶେଷ କରି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ କମ୍ ବ୍ୟବହାର କରିବା ଓ ପୁନଃ-ବ୍ୟବହାର ଉପଯୋଗୀ କରିବା । ଆମର ଉପକୂଳ ଓ ବେଳାଭୂମିର ସୁରକ୍ଷା ପାଇଁ ଗୋପାଳପୁର ବନ୍ଦର ଅନେକ ପଦକ୍ଷେପ ଗ୍ରହଣ କରିଆସୁଛି । ଗଂଜାମ ଜିଲ୍ଲାର ଉପକୂଳର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ କରିବୁ । ଏହି ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୧୦୦ କେ.ଜି. ପ୍ଲାଷ୍ଟିକ ସଂଗ୍ରହ କରାଯାଇଥିଲା । ବର୍ଜ୍ୟର ଉତ୍ସକୁ ଚିହ୍ନଟ କରିବା ସହ ପ୍ରଦୂଷଣର କାରଣ ଏବଂ ଏହାର ନିରାକରଣ, ପ୍ରତି ବ୍ୟବହାରରେ ପରିବର୍ତନ ଆଣିବା ଏବଂ ସାମୁଦ୍ରିକ ବର୍ଜ୍ୟବସ୍ତୁକୁ ନିରାକରଣ ସମସ୍ୟାକୁ ନେଇ ଜନସଚେତନତା ସୃଷ୍ଟି କରାଯାଇଛି । ଯାହାଦ୍ୱାରା ସଚେତନତା ସୃଷ୍ଟି କରିବା ଲାଗି ବେଳାଭୂମି, ଜଳପଥ ଓ ଅନ୍ୟାନ୍ୟ ଜଳ ଭଣ୍ଡାରରୁ ବର୍ଜ୍ୟ ଓ ଆବର୍ଜନା ହଟାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ଅ୍‌ନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଇଥାଏ ବୋଲି ଜନ ସଚେତନତା ସୃଷ୍ଟି କରାଯାଇଛି ।

Leave A Reply

Your email address will not be published.