ଉତ୍କଳ ଗ୍ରନ୍ଥାଗାରିକ ସଂଘ ଓଡିଶା ଦ୍ୱାରା ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଉତ୍କଳ ଗ୍ରନ୍ଥାଗାରିକ ସଂଘ (ପଶ୍ଚିମ ସଂଭାଗ )ତରଫରୁ ବଲାଙ୍ଗିର ଜିଲ୍ଲା ଗ୍ରନ୍ଥାଗାରିକ ସଂଘ ଦ୍ୱାରା ଆୟୋଜିତ ଜାତୀୟ ଗ୍ରନ୍ଥାଗାରିକ ଦିବସ ତଥା ଗ୍ରନ୍ଥ ଓ ସୂଚନା ବିଜ୍ଞାନର ଜନକ ପଦ୍ମଶ୍ରୀ ପ୍ରଫେସର ଶିଆଳି ରାମମ୍ରିତା ରଙ୍ଗନାଥନଙ୍କ ୧୩୨ ତମ ଜନ୍ମଜୟନ୍ତୀ ସ୍ଥାନୀୟ ଯାଦବ ଭବନ ଠାରେ ମହା ସମାରୋହର ସହିତ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଗ୍ରନ୍ଥାଗାରିକ ସଂଘର ସଭାପତି ତଥା ଯୁବ ଲେଖକ ପ୍ରିତମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଉତ୍କଳ ଗ୍ରନ୍ଥାଗାରିକ ସଂଘର ସଭାପତି ଗଣେଶ ଚନ୍ଦ୍ର ରାଉତ ଯୋଗଦେଇ ଡ. ରଙ୍ଗନାଥନଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମନରେ ପଠନ ପିପାସା ସୃଷ୍ଟି କରାଇଲେ ବ୍ୟକ୍ତିତ୍ୱର ବିକାଶ ଘଟିବା ସଙ୍ଗେ ଶୈକ୍ଷିକ ଓ ସାମାଜିକ ଜୀବନ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ସଂଘଟିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ଉତ୍କଳ ଗ୍ରନ୍ଥାଗାରିକ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ନବକିଶୋର ସାହୁ, ବିଭୁତି ଭୂଷଣ ମହାପାତ୍ର ଓ ବିଶିଷ୍ଟ କୋଶଲି କବି ତଥା କୋଶଳ ସାହିତ୍ୟ ଏକାଡେମୀର ସଭାପତି ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗ୍ରନ୍ଥାଗାରିକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସଂଘ ଦ୍ୱାରା ଅତୀତରେ ଓ ଆଗାମୀ ଦିନରେ ଗ୍ରହଣ କରାଯାଇଥିବା ଏବଂ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ସଂଗ୍ରାମ ମିଶ୍ର ଯୋଗଦେଇ ରଙ୍ଗନାଥନଙ୍କ ଜୀବନୀ, ଗ୍ରନ୍ଥାଗାରିକ ଦିବସ ପାଳନର ମହତ୍ତ୍ୱ, ପାଠାଗାର ଆନ୍ଦୋଳନ ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସଭାପତି ପ୍ରୀତମ କୁମାର ପଣ୍ଡା ସମସ୍ତ ଅତିଥି ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗ୍ରନ୍ଥଗାରିକ ମାନଙ୍କୁ ଶୁଭେଚ୍ଛା ଜଣାଇବାର ସହିତ ଗ୍ରନ୍ଥଗାରିକ ମାନଙ୍କ କର୍ତ୍ତବ୍ୟ ପାଳନ ସମୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା, ଗ୍ରନ୍ଥାଗାରିକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିଷୟରେ ତଥ୍ୟ ଉପସ୍ଥାପନ ଓ ଏହାର ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବଲାଙ୍ଗିର ଗ୍ରନ୍ଥାଗାରିକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ କଲତା ମଧ୍ୟ ଗ୍ରନ୍ଥାଗାରିକ ମାନଙ୍କ ଦୀର୍ଘଦିନର ବିଭିନ୍ନ ଦାବୀ ଓ ସମସ୍ୟା ବିଷୟରେ ଆଲୋକପାତ କରି ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ସମସ୍ତେ ଏକଜୁଟ ହୋଇ ସରକାରଙ୍କ ପାଖରେ ଦୃଢ଼ ଦାବୀ ଜଣାଇବାକୁ ଆହ୍ୱାନ କରିଥିଲେ । ଏହି ଉତ୍ସବ ଅବସରରେ ବିଭିନ୍ନ ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ଗ୍ରନ୍ଥାଗାରିକ ଅନିରୁଦ୍ଧ ପାଣିଗ୍ରାହୀ, ଡୋଳାମଣି ଚନ୍ଦନ, ଗରିବ ସେଲମା ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଶାନ୍ତରାମ ପଧାନ ଅତିଥି ପରିଚୟ ପ୍ରଦାନ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ଶିବ ପ୍ରସାଦ ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାକୁର, ଚକ୍ରଧର ପଟେଲ, ଦୁର୍ବାଦଳ ମିଶ୍ର, ନନ୍ଦକିଶୋର କର୍ମୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଜାତୀୟ ଗ୍ରନ୍ଥାଗାରିକ ଦିବସରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ଗ୍ରନ୍ଥାଗାରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.