ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁବ-ରେଡ୍‌କ୍ରସ୍‌ ଓ ବ୍ରହ୍ମପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅରୁଣା’ର ମିଳିତ ଆନୁକୁଲ୍ୟରେ ‘ଆନ୍ତର୍ଜାତୀୟ ଯୁବ ଦିବସ’ ସୋମବାର ମହାବିଦ୍ୟାଳୟସ୍ଥ ସଭାଗୃହରେ ବେଶ୍‌ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡ. ସୁଭାଷ ସାହୁ, ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଲୋକନାଥ ମିଶ୍ର, ନିର୍ଦ୍ଦେଶକ ଅରୁଣା ଏବଂ ବି. ଗୋବିନ୍ଦ ରାଓ, ଅବସରପ୍ରାପ୍ତ ଅଧ୍ୟକ୍ଷ, ଆଞ୍ଚଳିକ ମହାବିଦ୍ୟାଳୟ, କ୍ଷେତ୍ରୀୟ ବରପୁର ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି କହିଥିଲେ ‘’ସମାଜ ପ୍ରତି ଯୁବକମାନଙ୍କର ଅଙ୍ଗୀକାରବଦ୍ଧତା ଦେଶର ପ୍ରଗତୀରେ ବିଶେଷ ଭୂମିକା ନିର୍ବାହ କରିଥାଏ । ଦେଶ ବୟସ୍କମାନଙ୍କ ପ୍ରଜ୍ଞା ଓ ଯୁବକମାନଙ୍କ କର୍ମତତ୍ପରତା ତଥା ଯୌବନର ଉଦ୍ଦାମତାକୁ ପୂର୍ଣ୍ଣଭାବରେ ପାଥେୟ କରି ଆଗକୁ ବଢିବାରେ ସକ୍ଷମ ହୋଇଥାଏ । ଏଣୁ ଆଜିର ଏହି ଯୁବ ଦିବସରେ ପ୍ରତ୍ୟେକ ଯୁବକ ଦେଶ ଆଉ ସମାଜ ପାଇଁ କର୍ତ୍ତବ୍ୟନିଷ୍ଠ ହେବା ଆବଶ୍ୟକ । ସଭାର ମୁଖ୍ୟ ଅତିଥି ଡ. ସାହୁ କହିଥିଲେ, ଦେଶ ସେବା ଓ ସମାଜ ସେବାକୁ ନିଜର ବ୍ରତ ଭାବରେ ଆଜିର ଯୁବକ ସମାଜ ଗ୍ରହଣ କରିବା ଉଚିତ୍‌ । ଏଥି ସହିତ ଯୁବକମାନଙ୍କୁ ସମୟର ସଦୁପଯୋଗ କରିବା ସହିତ ଦେଶ ମାତୃକା ନିମିତ୍ତ ଉଚିତ୍‌ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ନିମନ୍ତେ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ‘ଅରୁଣା’ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିଶ୍ର ’ଛାତ୍ରଛାତ୍ରୀମାନଙ୍କୁ ଏଡ୍‌ସ ବିଷୟରେ ସୂଚନା ଦେବା ସହିତ ଆତ୍ମ ସଂଯମତା କିପରି ଏଡ୍‌ସର ଭୟାବହତାକୁ ଏଡ଼ାଇବାରେ ସହାୟକ ହୋଇପାରେ ତା’ର ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଜୀବନ ଓ ମୃତ୍ୟୁ ମଧ୍ୟରୁ ଯୁବସମାଜ ଜୀବନକୁ ବାଛିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ବି. ଗୋବିନ୍ଦ ରାଓ ’ଆନ୍ତର୍ଜାତୀୟ ଯୁବ ଦିବସରେ ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନର ମହତ୍ୱ ବିଷୟରେ ସଚେତନ କରିବା ସହିତ କୁସଙ୍ଗ ବର୍ଜନ କରିବା ଏବଂ ସମାଜରେ ସୁସ୍ଥ ଜୀବନ ନିର୍ବାହ କରିବା ଉପରେ ନିଜର ମନ୍ତବ୍ୟ ରଖିଥିଲେ । ଏଥି ସହିତ ଶ୍ରୀ ରାଓ ଯୁବ ରେଡ୍‌କ୍ରସ୍‌ ଓ ରେଡ୍‌ ରିବନ୍‌ କ୍ଲବର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ କିପରି ଯୁବ ସମାଜ ନିକଟରେ ପହଞ୍ଚିପାରିବ ତାହା ଉପରେ ଗୁରତ୍ୱାରୋପ କରିଥିଲେ । ସଭା କାର୍ଯ୍ୟର ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଡ. ମିଲିମିତା ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ମାନସ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ ଏବଂ ଅରୁଣାର କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.