ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଓ ଆଇକ୍ୟୁଏସି ସେଲ୍‌ର ମିଳିତ ଆନୁକୂଲ୍ୟରେ ‘ବିଶ୍ୱ ବାଣିଜ୍ୟ ଦିବସ’ ସୋମବାର ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶ୍ୱ ବାଣିଜ୍ୟ ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବାର ମୁଖ୍ୟ ମାଧ୍ୟମ ବାଣିଜ୍ୟ ଏବଂ ଏହା ଦେଶର ବାଣିଜ୍ୟିକ ପ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିବା ସହିତ ବର୍ତ୍ତମାନ ସମୟରେ ପ୍ରଚଳିତ ବିଭିନ୍ନ ବାଣିଜ୍ୟିକ କାର୍ଯ୍ୟକଳାପ ସଂପର୍କରେ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରିଥିଲେ । ବିଶ୍ୱ ବାଣିଜ୍ୟ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିପାଠୀ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ଗଞ୍ଜାମ ସ୍ଥିତ ପୋତାଗଡ଼ ଏବଂ ପାଲୁର ଅଞ୍ଚଳରେ ଥିବା ତତ୍କାଳୀନ ବାଣିଜ୍ୟିକ ପେଣ୍ଠସ୍ଥଳୀ ବିଷୟରେ ବିଶେଷ ଦୃଷ୍ଟିପାତ କରିଥିଲେ । ଏ ଅବସରରେ ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ପିଙ୍କିରାଣୀ ଦେଈ ଭାରତୀୟ ବଜାର ଓ ବାଣିଜ୍ୟିକ କାରବାର ଉପରେ ଗରୁତ୍ୱାରୋପ କରିବା ସହିତ ଏ ଦିଗରେ ଛାତ୍ରଛାତ୍ରୀମାନଙ୍କ ବିଶେଷ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଇକ୍ୟୁଏସି ସଂଯୋଜିକା ଅଧ୍ୟାପିକା ଡ. ଶୁଚିସ୍ମିତା ବେହେରା ବାଣିଜ୍ୟ ଓ ଅର୍ଥନୀତି ସଂପର୍କୀୟ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ସଭା କାର୍ଯ୍ୟର ପ୍ରାରମ୍ଭରେ ବାଣିଜ୍ୟ ବିଭାଗର ଅଧ୍ୟାପିକା ଶୁଭ୍ରା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସୌମ୍ୟାଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ତଥା ସମସ୍ତ ଛାତ୍ରଛାତ୍ରୀ ଏହି ସଭାରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.