ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୦ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ବରିଷ୍ଠ ନାଗରିକ ଜ୍ଞାନୀଗୁଣିଙ୍କୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୦ ତମ ଜୟନ୍ତୀ ସୋମବାର ଦିନ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ କଲେଜ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଉତ୍କକ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ. ଭି. ରାଜେନ୍ଦ୍ର ରାଜୁ, ବିଶିଷ୍ଟ ସମାଲୋଚକ ତଥା ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଡ. ଅଳକା ମିଶ୍ର, ଛତ୍ରପୁର ବାର୍ ଆସୋସିଏସନ୍‌ର ସଭାପତି ଆଡଭୋକେଟ୍‌ ପ୍ରଦୀପ ପାଢ଼ୀ, କବିଶ୍ରୀ ପ୍ରଶାନ୍ତ ଶତପଥୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ବରେଣ୍ୟ ମହାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆଦର୍ଶ ଜୀବନ ଓ ସମାଜ ପାଇଁ ତାଙ୍କ ମହାନତା, ଦେଶପାଇଁ କରିଥିବା ସଂଗ୍ରାମ ଆଦି ଅତୁଳନୀୟ ଯାହା ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା । ନୀଳକଣ୍ଠ ଦାସଙ୍କ ସମାଜ ପ୍ରୀତି ତାଙ୍କର ବଳିଷ୍ଠ ଅବଦାନ ଏକ ମହତ୍ତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା ବକ୍ତାମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପୂଜ୍ୟ ଗୁରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ଓ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ସାଂଗକୁ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତଗାନ ଏବଂ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇ ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.