ପଦ୍ମପୁରରେ ରଥଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରାଜପଡା ଠାରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ରାଜପଡା କମିଟି ଓ ପଦ୍ମପୁର ସହିତ ଆଖପାଖ ଗାଁର ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ । ଝିପି ଝିପି ବର୍ଷା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ ଭେଉଁରିଆ ଛକ ରଥ ଆସିବା ପରେ ମାଉସୀ ମାଁ ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ ଓ ଶାନ୍ତିନଗର, ମୈତ୍ରୀନଗର, ମାଷ୍ଟର କଲୋନୀ ଓ ପଦ୍ମପୁରର ଭକ୍ତ ଗଣ ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୌରହିତ୍ୟରେ ମାଁ ମାଉସୀମାନେ ରଥ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ୱାଗତ କରି ପୂଜାଚ୍ଚର୍ନା କରି ରଥ ଟାଣିଥିଲେ । ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିରକୁ ନେଇଯାଇଥିଲେ । ଆଜି ଠାରୁ ଦଶମୀ ପର୍ଯ୍ୟନ୍ତ ସକାଳ ୭ଟା ଓ ସନ୍ଧ୍ୟା ୬.୩୦ ମିନିଟରେ ଆଳତି ହେବ, ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ସମୟରେ ପ୍ରବଚକ ଇପ୍ସିତ ମିଶ୍ରଙ୍କ ଦ୍ୱାରା ଜଗନ୍ନାଥ କଥାମୃତ ପରାୟଣ ଅନୁଷ୍ଠିତ ହେବ, ଅଷ୍ଟମୀ ଓ ନବମୀ ଦିନ ଶ୍ରୀ ଚୈତନ୍ୟ ମହାପ୍ରଭୁ ବୈଠକୀ ହେବା ପାଇଁ କମିଟି ସ୍ଥିର କରିଛନ୍ତି, ରଥଯାତ୍ରା ମାଉସୀ ମାଁ ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ, ମୈତ୍ରୀନଗର, ମାଷ୍ଟର କଲୋନୀ, ଶାନ୍ତି ନଗର ପଦ୍ମପୁରର ବାସିନ୍ଦା ଓ ପଦ୍ମପୁର ପୋଲିସଙ୍କ ପୂର୍ଣ୍ଣ ସହାୟତାରେ ଶାନ୍ତିଶୃଙ୍ଖଳା ସହିତ ରଥଯାତ୍ରା ସମାପନ ହୋଇଥିଲା ।

Leave A Reply

Your email address will not be published.