ଡେଲାଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନେହୁରୁ ଯୁବ କେନ୍ଦ୍ର ପୁରୀ ଓ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡ଼ିଆ, ଡେଲାଙ୍ଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ମହିଳା ଦିବସ ବିଗତ ୧୯୧୧ ମସିହାରୁ ପାଳନ ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଦିବସର ଯଥାର୍ଥତା ସମସ୍ତେ ଅନୁଭବ କରି ପାରୁଛନ୍ତି । ମହିଳାମାନେ କେବଳ ପରିବାର ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ଦେଶ ଓ ବିଶ୍ୱ ସ୍ତରରେ ସେମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମହିଳାମାନଙ୍କ ପାଖରେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା, ଅଭିଜ୍ଞତା ସହିତ ସକାରାତ୍ମକ ମନୋଭାବ ରହିଛି । କାର୍ଯ୍ୟାଳୟ ହେଉ କି ପରିବାର ମହିଳା ଓ ପୁରୁଷମାନଙ୍କ ମଧ୍ୟରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ । କେବଳ ଆଜିର ଦିନରେ ଉତ୍ସବ ପାଳନ କରିବା ସମ୍ମାନ ଦେବା ଉଚିତ୍ ନୁହେଁ, ବରଂ ସବୁଠାରେ ସବୁ ସମୟରେ ମହିଳାମାନଙ୍କୁ ଉଚିତ୍ ସମ୍ମାନ ଓ ଅଧିକାର ମିଳିବ ଉଚିତ୍ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ମୋ ଭାରତ ବିକଶିତ ଭାରତ -ନାରୀ ଶକ୍ତି ଫିଟନେସ ରନ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ୱ ଯୁବତୀ ଓ ମହିଳାମାନଙ୍କୁ ନେଇ ୫ଶହ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଷ୍ଠାନର ଛାତ୍ରୀ ଅଭିଲିପ୍ସା ଜେନା ପ୍ରଥମ, ସୁଜାତା ବେହେରା ଦ୍ଵିତୀୟ, ଶୀତଲ ପାଣି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅନୁଷ୍ଠାନ ପକ୍ଷରୁ ଟି-ସାର୍ଟ, କ୍ୟାପ, କଫି ଯଗ, ହ୍ୟାଣ୍ଡବ୍ୟାଣ୍ଡ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ତଥା ସାରସ୍ୱତ ସାଧିକା ଜ୍ୟୋସ୍ନାମୟୀ ସ୍ୱାଇଁ, ଆର୍‌ଆଇଏସ୍‌ଡି ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ପୁର୍ଣ୍ଣେଦୁ ପ୍ରଧାନ, ଡାଇରେକ୍ଟର ରୋଜାଲିନ ସ୍ୱାଇଁ, ପ୍ରିୟବ୍ରତ ପ୍ରଧାନ, ସେକ୍ରେଟାରୀ ଶ୍ୟାମଲିମା ରାଉତ, ଶିକ୍ଷୟିତ୍ରୀ ଲିଜା ତାଡ଼, ପ୍ରତିଭା ମହାରଣା ପ୍ରମୁଖ ଅତିଥି ଆଜିର ଥିମି ଶୀର୍ଷକ”ମହିଳାମାନଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ କରନ୍ତୁ : ପ୍ରଗତି ତ୍ୱରାନ୍ୱିତ କରନ୍ତୁ ।” ଆଲୋଚନାଚକ୍ରରେ ସାମିଲ ହୋଇଥିଲେ । ଲିଙ୍ଗଗତ ସମାନତା ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଥିମ୍ ମହିଳା ଶିକ୍ଷା, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ସଶକ୍ତିକରଣ ଏବଂ ନେତୃତ୍ୱ ବିକାଶରେ ବିନିଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦେଇଥାଏ । ମହିଳାମାନେ ହେଉଛନ୍ତି ସମାଜର ପ୍ରକୃତ ସ୍ଥାପତ୍ୟ । ଶେଷରେ ମହିଳା ଓ ଯୁବତୀମାନେ ପରସ୍ପରକୁ ମିଠା ଖୁଆଇ ଉତ୍ସାହର ସହିତ ଏହି ମହିଳା ଦିବସ ପାଳନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଧାଉଡ଼ିଆ କାର୍ଯ୍ୟକ୍ରମର ସଫଳତା ନେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.