jayashree

ଗଞ୍ଜାମ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ଦିବସ ସଦରମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ପାଳିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟମାନଙ୍କରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ସକାଶେ ଅଧିକାରୀ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସଂପୃକ୍ତ କାର୍ଯ୍ୟାଳୟରେ ପୁରସ୍କୃତ କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଧିକାରୀ ଏବଂ କର୍ମଚାରୀଗଣ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯେଉଁମାନେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିଲେ ସେହି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁରଠାରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳନ ଅବସରରେ ଗୁରୁବାର ଦିନ ଜଉଗଡ ସମ୍ମିଳନୀ କକ୍ଷଠାରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଇମତିହା ଶାହା ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏସ୍‌ଆଇଏସ୍ ପ୍ରୋଗ୍ରାମର ରାଜୀବ କୁମାର ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟିକା ରୂପଶ୍ରୀ ପାଢୀ ଦ୍ୱିତୀୟ ସ୍ଥାନ ଏବଂ ଛତ୍ରପୁର ଜିଲ୍ଲା ପାଠାଗାରର ପରିଚାଳକ ସ୍ୱର୍ଣ୍ଣପ୍ରଭା ନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଗୋପାଳପୁର ପରିମଳ ବିଭାଗ ଅଧିକାରୀ ପ୍ରଭାତି ସାସମଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦକ୍ଷିଣାଞ୍ଚଳ ଭୂତତ୍ତ୍ୱ ବିଭାଗ ବ୍ରହ୍ମପୁରର ରେଖାନୁରେଖ ମନ୍ମଥ ନାୟକ ଦ୍ୱିତୀୟ ସ୍ଥାନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅର୍ଥନୈତିକ ବିଶ୍ୱ ମୋହନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ସେହି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବକ୍ତୃତା ବିଚାରକ ଭାବେ ଛତ୍ରପୁର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁମୀତା ମିଶ୍ର, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପିକା ଡ. ସୁରଚିତା ପଟ୍ଟନାୟକ ଏବଂ ସମାଜସେବୀ ଅରୁଣ କୁମାର ଶତପଥୀ ବିଚାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା । ସଂସ୍କୃତି ବିଭାଗର ଆନନ୍ଦ କୁମାର ରାଉତ, କେଶବ ବେହେରା, ଶେଖର କୁମାର ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.