oum

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୂନ, ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି, ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀ ଛକ ସ୍ଥିତ ଡ଼. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଚଞ୍ଚଳ ରାଣା, ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବାହ୍ନ ଘ. ୮.୩୦ ମି. ସମୟରେ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ଆନୁଷ୍ଠାନିକ ଉତ୍ସବରେ ଓଡିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ନିରୀକ୍ଷଣ କରିଥିଲେ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ, ସ୍ଵାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଅଗଣିତ ସ୍ଵାଧୀନତା ଓ ମହାନ ଦେଶଭକ୍ତମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିବା ସହ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବହୁ ଅଭିନବ ଓ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ସଠିକ କାର୍ଯାନ୍ଵୟନ ଯୋଗୁଁ ବିକାଶର ଧାରା ଅବ୍ୟାହତ ରହିଛି ବୋଲି ମତବ୍ୟକ୍ତ କରିବା ସହ ଉଚ୍ଚ ଶିକ୍ଷା ବ୍ୟବସ୍ଥା, ବିପର୍ଯ୍ୟୟ ପରିଚାଳନା, ଷ୍ଟାର୍ଟ ଅପ, କ୍ରୀଡା ଓ କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହନ, ୫ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରିକରଣ, ମୋ ସରକାର ଉପକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ସଫଳ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାର ସାମଗ୍ରିକ ବିକାଶକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ବୋଲି ମତବ୍ୟକ୍ତ କରିବା ସହ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଓ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷା ସଂସ୍କୃତି ସମେତ କଳା, ପର୍ଯ୍ୟଟନ, ଭିତ୍ତିଭୂମି, ଗମନାଗମନ, ଶିଳ୍ପ, କୃଷି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲାର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ । ଏ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ଠାପର ଉଦ୍ୟମ ଜାରି ରହିଛି ଏବଂ ବହୁ କ୍ଷେତ୍ରରେ ଜିଲ୍ଲାର ବିକାଶ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ବଲାଙ୍ଗିର ଜିଲ୍ଲାର ବିକାଶକୁ ଆହୁରି ଆଗକୁ ନେବାକୁ ଏବଂ ଏହାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ଆମ ସମସ୍ତଙ୍କୁ ମିଳିତ ପ୍ରୟାସ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆହ୍ଵାନ ଦେଇଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହର ଆନୁଷ୍ଠାନିକ ପ୍ୟାରେଡରେ ଏପିଆର, ହୋମଗାର୍ଡ, ପୋଲିସ ବ୍ୟାଣ୍ଡ, ଏନସିସି, ସ୍କାଉଟ, ଗାଇଡ, ରେଡକ୍ରସ୍‌ ଓ ସିଭିଲିଆନ ଦଳଙ୍କୁ ମିଶାଇ ମୋଟ ୩୯ ଗୋଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ । ପ୍ୟାରେଡ ପ୍ରତିଯୋଗିତାରେ ଉଚ୍ଚକୋଟିର ପ୍ୟାରେଡ ପ୍ରଦର୍ଶନ କରି ବିଭିନ୍ନ ବର୍ଗରେ କୃତିତ୍ଵ ହାସଲ କରିଥିବା କଣ୍ଟିଜେଣ୍ଟ ଗୁଡିକୁ ମୁଖ୍ୟ ଅତିଥି ସିଲ୍ଡ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସ୍ତରରେ ଅନୁଷ୍ଠିତ ସ୍ଵାଧୀନତା ସଂଗ୍ରାମୀ ବେଶ, ଚିତ୍ରାଙ୍କନ, ଓଡିଆ, ଇଂରାଜୀ ପ୍ରବନ୍ଧ ଲିଖନ, ବକ୍ତୃତା, ହିନ୍ଦୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଆଇଡ଼ିଏମ ପବ୍ଲିକ ସ୍କୁଲ, ଏକାଡ଼େମିକ ହାଇଟ ପବ୍ଲିକ ସ୍କୁଲ, ବ୍ଲୁଜୁମ କନସେପ୍ଟ ସ୍କୁଲ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପୁରସ୍କୃତ ହୋଇଥିଲେ । ଜିଲ୍ଲାସ୍ତରୀୟ ପ୍ୟାରେଡ ଉତ୍ସବରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପ୍ୟାରେଡ ଉତ୍ସବରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଅଭିବାଦନ ମଞ୍ଚରେ ଉପସ୍ଥିତ ଥିବାବେଳେ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷ୍ୟା ଲିକା ସାହୁ, ୧୮୯ ବାଟାଲିଆନ ସିଆରପିଏଫର କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ପ୍ୟାରେଡ ଉତ୍ସବ ପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା କାରାଗାର ଯାଇ କାରାଗାରର ଅନ୍ତେବାସୀମାନଙ୍କୁ ରୋଟାରୀ କ୍ଲବ ଅଫ ବଲାଙ୍ଗିର ଦ୍ଵାରା ପ୍ରଦତ୍ତ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ । ପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାର ଯାଇ ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରର ଉଦ୍‌ଘାଟନ କରିବା ସହ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ସେଠାରୁ ମୁଖ୍ୟ ଅତିଥି ପୁଇଁତଲା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ରେଡକ୍ରସ୍‌ ସୋସାଇଟି ଦ୍ଵାରା ଆୟୋଜିତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅପରାହ୍ନରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାପାଳ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସମସ୍ତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.