ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବାଲିଗୁଡାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରତ୍ୟୁଷରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳ ୭ ଘଣ୍ଟା ସମୟରେ ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ପରେ ପରେ ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉପଖଣ୍ଡସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ଏମ.ଏସ.ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ । ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସମୁଦାୟ ୩୨ଟି ଦଳ ସମ୍ମିଳିତ ପ୍ୟାରେଡରେ ଭାଗ ନେଇଥିଲେ । ଦୀର୍ଘ ଦୁଇ ବର୍ଷ ହେଲା ମହାମାରୀ କରୋନା ଭୂତାଣୁ ସଂକ୍ରମଣ କାରଣରୁ ସରକାରଙ୍କ ନିୟମକୁ ମାନି ନିରାଡ଼ମ୍ବର ଭାବେ ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ କରାଯାଉଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ପୂର୍ବ ବର୍ଷମାନଙ୍କ ଭଳି ପୁଣି ଥରେ ମହାଆଡ଼ମ୍ବରରେ ବାଲିଗୁଡ଼ାରେ ପାଳନ କରାଯାଇଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅଭିମନ୍ୟୁ ପ୍ରଧାନ, ଉପଖଣ୍ଡ ଉତ୍ସବ ପାଳନ କମିଟିର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡ଼ାଇ, ରଶ୍ମି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଦୀର୍ଘ ଦୁଇ ବର୍ଷ ପରେ ପୁଣି ସ୍ୱଭାବିକ ପରିସ୍ଥିତି ଫେରିଥିବାରୁ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।
Next Post