ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସୈନିକ ଭବନଠାରେ ସପ୍ତମ ପ୍ରାକ୍ତନ ସୈନିକ ଦିବସ ତଥା ୭୫ତମ ଭାରତୀୟ ସେନା ଦିବସ ଉପଲକ୍ଷେ ରାଉରକେଲା ପୂର୍ବତନ ସୈନିକ ସଂଘ ତରଫରୁ ପାଳନ କରାଯାଇଛି । ସଂଘ ଓ ଦି ନିଉରନ ମଲଟି ସ୍ପେସାଲିଷ୍ଟ କ୍ଲିନିକର ମିଳିତ ସହଯୋଗରେ ପୂର୍ବତନ ସୈନିକ ଓ ପରିବାର ବର୍ଗଙ୍କ ଉଦ୍ଦେଶ୍ୟରେ ଏକ ଦେୟ ମୁକ୍ତ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୬୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ର ଲୋକସଭା ସଦସ୍ୟ ତଥା ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଜୁଏଲ୍ ଓରାମ ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ସଭାକୁ ଉଦ୍ଘାଟନ କରିଥିଲେ । ଜାତୀୟ ସଂଗୀତ ଗାନ ପରେ ମୁଖ୍ୟ ଅତିଥି ଶ୍ରୀ ଓରାମଙ୍କ ସହିତ ସୌର୍ଯ୍ୟଚକ୍ରରେ ସମ୍ମାନିତ କ୍ୟାପଟେନ ପ୍ରଦୀପ ବେକ୍, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ଦ୍ଦେଶକ କର୍ନେଲ ଡାକ୍ତର ଅସୀମ ସୁଦ, ମେଜର ଡାକ୍ତର ଅକ୍ଷୟ କୁମାର ସାମଲ, ମେଜର ଆର୍ଯ୍ୟା ରାଜନ, ସଂଘର ଉପସଭାପତି ଫ୍ଲାଇଟ ଲେଫ୍ଟନାଣ୍ଟ ବସନ୍ତ କୁମାର ମହାରଣା, ଦି ନିଉରନ ମଲ୍ଟି ସ୍ପେଶାଲିଟି କ୍ଲିନିକର ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ, ଡାକ୍ତର ମଧୁସ୍ମିତା ଧୂପାଳ, ଡାକ୍ତର ଆଶିଷ ପଟେଲ ଏବଂ ସଙ୍ଘର ସାଧାରଣ ସମ୍ପାଦକ ସୁବେଦାର ଧନେଶ୍ଵର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱାଗତ ଭାଷଣରେ ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ପୁଣ୍ୟ ଦିବସ ପାଳନ ବିଷୟରେ ବ୍ୟାଖ୍ୟାନ କରି ରାଉରକେଲାର ପୂର୍ବତନ ସୈନିକମାନଙ୍କ ଦ୍ଵାରା ବ୍ୟବହୃତ ମିଲିଟାରୀ କ୍ୟାଣ୍ଟିନ୍ ଓ ଜେପି ହସ୍ପିଟାଲରେ ଚିକିତ୍ସା ସୁବିଧା ବିଷୟରେ ଆଲୋକପାତ କରି କହିଥିଲେ ଯେ, ଶ୍ରୀ ଓରାମଙ୍କ ପଦ ଓ ପ୍ରଚେଷ୍ଟାରେ ଏସବୁ ସୁବିଧା ଉପଲବ୍ଧ ହୋଇପାରିଛି । ଭବିଷ୍ୟତରେ ଏପରି ସୈନିକ କଲ୍ୟାଣକାରୀ ସୁବିଧା ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ । ସୈନିକ ଭବନର ଜମି ନଥିପତ୍ର ପ୍ରସ୍ତୁତ କରାଇବାରେ ଶ୍ରୀ ଓରାମ ତାଙ୍କ ଭାଷଣରେ ପୁରା ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମ ଥର ପାଇଁ ନିଜ ଜିଲ୍ଲାର ସୈନିକ ଭବନରେ ପୂର୍ବତନ ସୈନିକମାନଙ୍କ ଗହଣରେ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିବା ବେଳେ ଡା. ସାମଲ ସୈନିକ ଓ ପୂର୍ବତନ ସୈନିକଙ୍କ ମଧ୍ୟରେ ଥିବା ସମନ୍ଵୟ ଓ ତାରତମ୍ୟ ବିଷୟରେ ଆଲୋକପାତ କରିଥିଲେ । ପୂର୍ବତନ ସୈନିକମାନେ ସମ୍ମୁଖିନ ହେଉଥିବା ଅସୁବିଧା ସମ୍ପର୍କରେ ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡା. ଅସୀମ ସୁଦଙ୍କ ଅଭିଭାଷଣରେ ସ୍ଫୁର୍ତି ଓ ଅନୁଭୂତିର ବିଚିତ୍ର ସମାବେଶ ଉପସ୍ଥିତ ସୈନିକମାନଙ୍କୁ ଉତ୍ସାହିତ କରିଥିଲା । ଡା. ମଧୁସ୍ମିତା ଧୂପାଳଙ୍କ ବକ୍ତବ୍ୟ ପୂର୍ବତନ ସୈନିକମାନଙ୍କୁ ଅନେକ ଆକୃଷ୍ଟ କରିଥିଲା । ତାଙ୍କର କିଛି ମର୍ମସ୍ପର୍ଶୀ ଚିନ୍ତାଧାରା ଓ କବିତା ଅନେକଙ୍କୁ ଭାବୁକ କରିଥିଲା । ମେଜର ଆର୍ଯ୍ୟା ରାଜନ ମଧ୍ୟ ପ୍ରଥମ ଥର ସଂଘରେ ସାମିଲ ହୋଇ ନିଜ ପୂର୍ବତନ ସୈନିକ ପରିବାର ସହିତ ମିଶି ପାରିଥିବାରୁ ଭାବୁକ ହୋଇଥିଲେ । କାର୍ଯ୍ୟକ୍ରମରେ ସର୍ଜେଣ୍ଟ ଜୟନ୍ତ ବୀର ବେରିହା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।