jayashree

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ସାମାରୋହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧୁନିକ ଓଡିଶାର ନିର୍ମାତା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଦିବସ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଅତିଥିମାନେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ତାଙ୍କ ବଦାନ୍ୟ ଖଲ୍ଲିକୋଟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲ୍ଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଭା ମଞ୍ଚରେ ଆହ୍ୱାନ କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜା ସାହେବଙ୍କ ଗାରିମା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିଥିଲେ । ୧୯୨୨ ମସିହାରେ ଗଞ୍ଜାମ ଜିଲ୍ଲା ବୋର୍ଡ ସଭାପତି ଭାବେ ମନୋନୀତ ହୋଇଥିଲେ । ୧୯୨୩ ମସିହାରେ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହୋଇଥିଲେ ଏବଂ ଅବହେଳିତ ଉତ୍କଳୀୟଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମନପ୍ରାଣ ଢାଳିଥିଲେ । ଅଣଓଡିଆମାନେ ଓଡିଶାର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ବିଭିନ୍ନ ଷଡଯନ୍ତ୍ର କରିଥିବା ହେତୁ ଓଡିଆମାନେ ବହୁ ଦୁଃଖ ଓ ନିର୍ଯାତନା ଭୋଗ କରୁଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ନିଜ ପିତା ସ୍ୱର୍ଗତ ହରିହର ମର୍ଦ୍ଦରାଜ ଦେଓଙ୍କ ଦେଶ ମିଶ୍ରଣ ପାଇଁ ମହନୀୟ ଚେଷ୍ଟା ତଥା ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣର ଆବଶ୍ୟକତା, ଓଡିଆମାନଙ୍କ ଇଚ୍ଛା ଓ ଅଭିପ୍ସା ସମ୍ପର୍କରେ ଯୁକ୍ତିଯୁକ୍ତ ଲିଖିତ ଦାବୀ ଉପସ୍ଥାପନ କରିଥିଲେ । ୧୯୨୭ ମସିହାରେ ମହାତ୍ମା ଗାନ୍ଧୀ ସ୍ୱରାଜ ଆନ୍ଦୋଳନ ପାଇଁ ଓଡିଶା ଗସ୍ତ ବେଳେ ରମ୍ଭା ରାଜ ପ୍ରାସାଦରେ ଆତିଥ୍ୟ ଗ୍ରହଣ କରିଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଡୋନେଲ କମିଟି ସୁପାରିଶ ଅସମିଚୀନ ଓ ଅଟଲୀ ସବ୍ କମିଟିର ସୁପାରିଶ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହନୀୟ, ଏଣୁ ଓଡିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ ପାଇଁ ଜନମାନସରେ ସଦା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ପରିଶେଷରେ ଛତ୍ରପୁର ପ୍ରେସ୍ କ୍ଲବ୍‌ର ସଭାପତି ପ୍ରଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.