ବୀରମହାରାଜପୁରରେ ଉପଖଣ୍ଡସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳିତ

  • ଶକ୍ତି କ୍ଷେତ୍ରରେ ଭିଜନ ୨୦୪୭ ସାକାର କରିବା ସଂକଳ୍ପ

ବୀରମହାରାଜପୁର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି କ୍ରମରେ ଆଜି ବୀରମହାରାଜପୁରରେ ଉପଖଣ୍ଡସ୍ତରୀୟ ବିଦ୍ୟୁତ ଉତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସଂସ୍ଥା ସମୂହ ଏନଟିପିସି, ଓପିଟିସିଏଲ, ଟିପିଓଡବ୍ଲୁଡିଏଲଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଜିଲ୍ଲା ପରିଷଦ ୧ନଂ ଜୋନ ସଦସ୍ୟ ଲବ କୁମାର ସାହୁ, ଏମ୍‌ପି ନୋମିନି ନଳିନୀ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ଶୁଲିଆ ସଭାର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏବେ ଦେଶରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଏବଂ ଜନସାଧାରଣଙ୍କ ସହଯୋଗରେ ଶକ୍ତି କ୍ଷେତ୍ରରେ ଏହି ବିକାଶମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ଆମେ ସକ୍ଷମ ହୋଇପାରିଛୁ । ନୂତନ ଜ୍ଞାନ କୌଶଳର ବିନିଯୋଗ ସହ ସୁଦକ୍ଷ ପରିଚାଳନା ଫଳରେ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେଇ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇ ପାରିଛି ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ସୂପାର ଠେଲା କହିଥିଲେ ଯେ, ବିଗତ ବର୍ଷମାନଙ୍କ ତୁଳନାରେ ଶକ୍ତି କ୍ଷେତ୍ରରେ ଅନେକ ସୁଧାର ଆସିଛି । ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ଦିନରାତି ପ୍ରଚେଷ୍ଟାରେ ଆମକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ମିଳିପାରୁଛି । ଏଣୁ ଆମେ ଯୋଗାଣ ଅସୁବିଧା ସମୟରେ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଉଚିତ । କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ଉତ୍ପାଦନ, ଏହାର ସଂରକ୍ଷଣ, ଜଳ ବିଦ୍ୟୁତ ତଥା ବିଭିନ୍ନ ରିନ୍ୟୁଏବେଲ ଏନର୍ଜିର ଉତ୍ପାଦନ ଓ ଏହାର ବହୁଳ ବ୍ୟବହାର ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତିର ସୁରକ୍ଷା କରିବା ସହିତ ଏହାର ଉପଯୁକ୍ତ ସଂରକ୍ଷଣର ଆବଶ୍ୟକ । ବିଦ୍ୟୁତ ଶକ୍ତିର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ କରିବା ନିମନ୍ତେ ସରକାର ଜନସାଧାରଣଙ୍କଙ୍କୁ ଅନୁରୋଧ କରିଛନ୍ତି ।

ଉଭୟ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ରାଜ୍ୟରେ ବିଜୁଳି ଉତ୍ପାଦନ କ୍ଷମତା ବୃଦ୍ଧିହୋଇ ଏହାର ଶକ୍ତି ଅଭାବକୁ ଦୂର କରିବା ସହିତ ରାଜ୍ୟକୁ ବଳକା ଶକ୍ତିରେ ପରିଣତ କରିପାରିଛି । ଏବେ ଦେଶର ଶତପ୍ରତିଶତ ଗ୍ରାମକୁ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଛି । ଦେଶ ତଥା ରାଜ୍ୟର ଶକ୍ତି ଭିତ୍ତିଭୂମି ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ କରାଯାଇ ଗ୍ରାମାଞ୍ଚଳର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯାଇ ପାରିଛି । ଏହି ଅବସରରେ ସୋନପୁର ନାଟ୍ୟ ଚକ୍ର ଦ୍ୱାରା ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ଓ ଏହାର ସୁଦୂର ପ୍ରସାରୀ ସଫଳତା ଉପରେ ଏକ ସୁନ୍ଦର ନାଟକ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଉତ୍ସବରେ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ଏନଟିପିସି, ଏଜିଏମ୍‌ ସୁଧାଂଶୁ ଶେଖର ପ୍ରଧାନ, ଓପିଟିସିଏଲ୍‌ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ସାହୁ, ଓପିଟିସିଏଲ୍‌ ଡିଜିଏମ୍‌ ନିରଞ୍ଜନ ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ସ୍ଥାନୀୟ ଜନ ପ୍ରତିନିଧି, ଏସଏଚଜି ସଦସ୍ୟା, ବିଦ୍ୟୁତ ହିତାଧିକାରୀ, ଉପଭୋକ୍ତା, ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଦ୍ୟୁମ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବର ସଫଳତା ପାଇଁ ସୌଭାଗ୍ୟ ରଞ୍ଜନ ସାମଲ ପ୍ରଶାସନକୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉତ୍ସବ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.