ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ମାଟିର ବୀରପୁତ୍ର ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୪୨ତମ ଶ୍ରାଦ୍ଧ ବାର୍ଷିକୀ ପ୍ରଗତି ଉତ୍କଳ ସଂଘ ପରିସରରେ ଭକ୍ତିପୂତ ଭାବେ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ଅତିଥିମାନେ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସଂଘର ଉପସଭାପତି ପ୍ରଫେସର ପ୍ରଭାତ କୁମାର ମଲ୍ଲିକ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଧାରା ଓ ବୈପ୍ଳବିକ ଅନୁଚିନ୍ତା ସମ୍ପର୍କରେ ସବିଶେଷ ବକ୍ତବ୍ୟ ରଖିଥିଲେ । ଇଂରେଜ ସରକାରଙ୍କ କ୍ରୂର ଶାସନ ବିରୁଦ୍ଧରେ ତାଙ୍କର ଅଦମ୍ୟ ସାହସ, ବଳିଦାନ ଏବଂ ନେତୃତ୍ୱ କିପରି ସାରା ଦେଶ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା, ସେ ବିଷୟରେ ସେ ମତ ରଖିବା ସହ ବର୍ତ୍ତମାନର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ତଥା ସମାଜ ଗଠନରେ ନିଜକୁ ନିୟୋଜିତ କରିବାକୁ ସଭାରେ ଆହ୍ୱାନ ଦେଇଥିଲେ । ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ଦାସ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଧରଣର ସାମଲ, ନାରାୟଣ ଚନ୍ଦ୍ର ମହନ୍ତ, ଇନ୍ଦ୍ରମଣି ମହାପାତ୍ର, ପ୍ରତିକ୍ଷୀତ ଗୁରୁ, ବରୁଣ କୁମାର ନାହାକ, ସତ୍ୟ ନାରାୟଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ଅକ୍ଷୟ ସାମଲ, ଚନ୍ଦ୍ରଶେଖର ଶତପଥୀ, କାଶୀ ନନ୍ଦୀ, ପ୍ରଣତି ବେହେରା, ତ୍ରିନାଥ ସିଂହ, ବିନା ମହାନ୍ତ, ସୂର୍ଯ୍ୟ ନାରାୟଣ ପାଢ଼ୀ, ଗୌରୀଶଙ୍କର ପ୍ରଧାନ, ନୃସିଂହ ଚରଣ ବିଶ୍ୱାଳ, ପୀତବାସ ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଢ଼ୀ, ଅର୍ଚ୍ଚନା ପାତ୍ର, କୈଳାସ ଚନ୍ଦ୍ର ମହାନ୍ତି, ଦିଲୀପ କୁମାର ବୋଷ, ପରେଶ ବିଶ୍ୱାଳ, ସସ୍ମିତା ପ୍ରଧାନ, ନରେନ୍ଦ୍ର ପ୍ରସାଦ ମିଶ୍ର, ସୁମନ୍ତ ଉପାଧ୍ୟାୟ ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ଅମର ଆତ୍ମା ପ୍ରତି ସମ୍ମାନ ଜଣାଇଥିଲେ । କାର୍ଯ୍ୟକାରୀ ସଦସ୍ୟା ରଶ୍ମି ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଚ୍ଚନା ପାତ୍ର ଏବଂ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଦଶଜଣ କବି କବିତା ପାଠ କରିଥିଲେ ।

Leave A Reply

Your email address will not be published.