କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବବର୍ଷ ଓ ପୌଷ ପୂର୍ଣ୍ଣିମା ଅବସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଥିଲା । ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଲଷ୍ଟରର ସିଆର୍ସିସି ଧନସିଂ ମାଝୀ, ଶିକ୍ଷକ ମନୋଜ ତାଣ୍ଡି, ଅଲେଖ ବନଗୋଲା ଅତିଥି ଭାବରେ ଯୋଗ ଦେଇଥିଲେ । ଭବାନୀ ମାଝୀ ସ୍ୱାଗତ ସଙ୍ଗୀତ ଗାଇଥିଲେ ଓ ଛାତ୍ରୀବୃନ୍ଦ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରକୃତି ବନ୍ଧୁ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଆମ ସଂସ୍କୃତି ଓ ପର୍ବପର୍ବାଣୀ ହଜି ହଜି ଯାଉଥିବା ବେଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍ପୁନି ଉପରେ ଆଲୋକପାତ କରିଥିଲେ । ତାପରେ ପାଣି ପଞ୍ଚାୟତ ପକ୍ଷ ପାଳନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ପାଣି ପଞ୍ଚାୟତ ପକ୍ଷ ଉପରେ ଆଧାରିତ କୁଇଜ, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।