ମହୀମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ମହିମୁଣ୍ଡା, (କେପିଏନ୍‌ଏସ୍‌) : ମହୀମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେଶ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପଧାନ ଅନ୍ୟାନ୍ୟ ଅତିଥିଙ୍କ ସହ ପ୍ରଥମେ ପ୍ରାଚୀର ପତ୍ରିକା ‘କୁରେଫୁଲ’ ଶୁଭ ଉନ୍ମୋଚନ କରିବା ପରେ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଅନୁଷ୍ଠାନର ଅତୀତକୁ ସ୍ମରଣ କରିଥିଲେ । ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସହାନୁଭୂତିର ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜକୁ ନ୍ୟୁନ ଦୃଷ୍ଟିରେ ନ ଦେଖି ଭବିଷ୍ୟତ ଉପରେ ଆତ୍ମ ବିଶ୍ୱାସର ସହିତ ଆଗେଇବା ପାଇଁ କହିଥିଲେ । ଏହା ଫଳରେ ଆଫ୍ରିକା ମହାଦେଶର ଉବୁଣ୍ଟୁ ସଂସ୍କୃତିର ଉଦାହରଣ ଦେଇ ଏକତା, ସହାନୁଶୀଳତା ଏବଂ ସାମୂହିକତା ଉପରେ ଗୁରୁତ୍ୱ ଦେଇ ସମାଜକୁ ଏକ ସମୃଦ୍ଧଶାଳୀ ଓ ବିକଶିତ ଭାବେ ଗଢ଼ିବା ପାଇଁ କହିଥିଲେ । ମହିମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଭୟ ଅନୁଷ୍ଠାନରେ ଥିବା ସୁସମ୍ପର୍କ ଦୋହରାଇ ଛାତ୍ରଛାତ୍ରୀଙ୍କୁ ମାନବିକ ମୂଲ୍ୟବୋଧ ଉପରେ ଉଦବୋଧନ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ମହିମୁଣ୍ଡା ସରପଞ୍ଚ ଶ୍ରୀମତୀ ରଞ୍ଜିତା ଭୋଇ ଉକ୍ତ ଅନୁଷ୍ଠାନ ସହ ଥିବା ମଧୁର ସ୍ମୃତିକୁ ରୋମନ୍ଥନ କରିଥିଲେ । ଡ. ଜଗନ୍ନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାର୍ଷିକ କ୍ରୀଡା ଏବଂ ସାଂସ୍କୃତିକ ବିଭାଗରେ କୃତିତ୍ୱ ହାସଲ କରିଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ସୁବ୍ରତ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.