ରାଉରକେଲା, (ସସ୍ମିତା ପ୍ରଧାନ) : ୨୧ ନଭେମ୍ବର ୨୦୨୫ରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ନେତାଜୀ ସୁଭାଷ ଅଡିଟୋରିୟମରେ ମହାସମାରୋହରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ୍ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୦୨ ମସିହାରେ ଆରମ୍ଭ ହୋଇଥିବା ବିପିୟୁଟି ଆଜି ୧୪୫ଟି ଅନୁବନ୍ଧିତ ଏବଂ ସଂଲଗ୍ନ କଲେଜ ସହିତ ଓଡ଼ିଶାର ସର୍ବବୃହତ ବୈଷୟିକ ବିଶ୍ୱବିଦ୍ୟାଳୟ ଅଟେ । କୁଳପତି ପ୍ରଫେସର ଅମୀୟ କୁମାର ରଥ ବିକଶିତ ଓଡିଶା ପାଇଁ ବିଶ୍ୱବିଦ୍ୟାଳୟରେ ଶିକ୍ଷା, ଗବେଷଣା ଏବଂ ଛାତ୍ର-କୈନ୍ଦ୍ରିକ ସଂସ୍କାର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି, ରିମ୍ସ ରାଉରକେଲାର ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ ପଟ୍ଟନାୟକ, ସାତ ଦିନ ମଧ୍ୟରେ ସେମିଷ୍ଟର ଫଳାଫଳ ପ୍ରକାଶ କରିବା ତଥା ହାକାଥନ୍ ଏବଂ ପ୍ରୋଜେକ୍ଟ ପ୍ରଦର୍ଶନୀ ଆୟୋଜନ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ ଏବଂ ବିପିୟୁଟି ଖୁବ୍ ଶୀଘ୍ର ଜାତୀୟସ୍ତରର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବାକୁ ଏବଂ ବହୁବିଧ ଦକ୍ଷତା ବିକାଶ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟ ଅତିଥି, ରାଉରକେଲା ବିଧାୟକ ସାରଦା ନାୟକ, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କଲେଜ ସମୟକୁ ବୁଦ୍ଧିମାନ ଭାବରେ ବ୍ୟବହାର କରିବାକୁ ଏବଂ ଦେଶ ସେବା ପାଇଁ ପ୍ରସ୍ତୁତ ହେବାକୁ ଉତ୍ସାହିତ କରିଥିଲେ । ଶେଷରେ ଉପ କୁଳସଚିବ ଡକ୍ଟର ଶୁଭେନ୍ଦୁ ରଥ ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ ୟୁଜି ଏବଂ ପିଜି ଅଧ୍ୟୟନ କେନ୍ଦ୍ରର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଏବଂ ପଦକ ସହିତ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବଟି ଛାତ୍ରମାନଙ୍କ ଦ୍ୱାରା ଗୀତନାଚ ଆଦି ରଙ୍ଗବିରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାପ୍ତ ହୋଇଥିଲା ।