centurian jitm

ଗୁରୁ ଭଗବାନ ସାହୁଙ୍କ ରାଜ୍ୟ ସ୍ତରୀୟ ମହୋତ୍ସବ ପାଳନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଅସ୍ମିତାର ମହାନାୟକ ଭାଷା କଳା, ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ରାଜ୍ୟ ସ୍ତରୀୟ ୯୪ ତମ ଜୟନ୍ତୀ ଚଳିତ ବର୍ଷ ଠାରୁ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ମହୋତ୍ସବ ଗତକାଲି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ଗତକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ଗୁରୁଙ୍କ ପ୍ରେମୀମାନେ ଆସି ଯୋଗ ଦେଇଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ଏ ଅଞ୍ଚଳର ଦୁଇ ଜଣ ପଦ୍ମଶ୍ରୀ ଉପାଧି ପ୍ରାପ୍ତ ବର୍ଷୀୟାନ କଳାକାର ବିନୋଦ କୁମାର ପଶାୟତ ଓ ଭାଗବତ ପ୍ରଧାନ (ଭାଗ) ତଥା ବିଶିଷ୍ଟ ନାଟ୍ୟକାର ନକୁଳ ବାଦୀଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଧର୍ମରାଜ ପ୍ରଧାନ ମାନପତ୍ର ପଠନ କରିଥିଲେ । ସଭା ପ୍ରାରମ୍ଭରେ ପଞ୍ଚାନନ ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡ. ରବିନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ତଥା କର୍ମକର୍ତ୍ତା ମାନଙ୍କୁ ଗୁରୁ ଭଗବାନ ସାହୁଙ୍କ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରିବା ସହିତ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ସଭାନେତ୍ରୀ ଡ. ତପସ୍ଵିନୀ ଗୁରୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ସମ୍ପାଦକ ଅଧ୍ୟାପକ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ଏ. ଇ. ମିଶନ ସ୍କୁଲର ଶିକ୍ଷୟତ୍ରୀମାନେ ଏକ ମଧୁର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସଙ୍ଗଠନ ସମ୍ପାଦକ ପ୍ରଦୀପ ଦେବତା କହିଥିଲେ ଯେ, କିଛିବର୍ଷ ପୂର୍ବରୁ ଲୋକେ ଗୁରୁ ଭଗବାନ ସାହୁଙ୍କୁ ପ୍ରଚାର ପ୍ରସାର ଅଭାବରୁ ଜାଣିବାର ସୁଯୋଗ ପାଉନଥିଲେ, କିନ୍ତୁ ସ୍ମୃତି ସମିତି ଗଠନ ହେବା ଦ୍ୱାରା ଏବେ ଏହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ପ୍ରଚାର ହୋଇ ସେଇ କିମ୍ବଦନ୍ତୀ କଳାକାରଙ୍କୁ ଲୋକେ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ସଂସ୍ଥାପକ ସଦସ୍ୟ ଯୁଗଳ ପ୍ରସାଦ ସିଂ ବରଗଡ଼ର ଏକ ଉପଯୁକ୍ତ ସ୍ଥାନରେ ଗୁରୁ ଭଗବାନ ସାହୁଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନକରିବା ତଥା ବିଦ୍ୟାଳୟର ଶ୍ରେଣୀକକ୍ଷ ଗୁଡ଼ିକର ନାମ ଭଗବାନ ସାହୁଙ୍କ ନାମରେ ରଖିବା ପାଇଁ ବିଧାୟକ ଓ ପୌରାଧ୍ୟକ୍ଷାଙ୍କୁ ଅନୁରୋଧ କରିଥିଲେ, ଯାହାକି ସେମାନେ ସ୍ୱୀକାର କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟଅତିଥି ରୂପେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ରୂପେ ବରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ତଥା ମୁଖ୍ୟବକ୍ତା ରୂପେ ଦହିତା କଲେଜର ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଷଡ଼ଙ୍ଗୀ ଗୁରୁ ଭଗବାନ ସାହୁଙ୍କ ସମ୍ମାନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ତଥା ବରଗଡ଼ ରେଳ ଷ୍ଟେସନରେ ତାଙ୍କର ଚିତ୍ର ରଖିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ ମାଝୀ ଗୁରୁଙ୍କ ସ୍ମୃତିଚାରଣ କରିବା ସହ ପ୍ରତିମୂର୍ତ୍ତି ସ୍ଥାପନ ଓ ଶ୍ରେଣୀଗୃହ ନାମକରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ମିଶ୍ର ତାଙ୍କର ସଂକ୍ଷିପ୍ତ ଭାଷଣରେ ବହୁତ ସୁନ୍ଦର ଭାବେ ଗୁରୁ ଭଗବାନ ସାହୁଙ୍କ ସ୍ଥାନ ଅନ୍ୟ କଳାକାରମାନଙ୍କ ଠାରୁ କାହିଁକି ସ୍ୱତନ୍ତ୍ର, ସେ ଉପରେ ଆଲୋକପାତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁଙ୍କ ପଟ୍ଟଶିଷ୍ୟ ଦଧିବାବନ ଶତପଥୀ ପୁରୁଣା ଗୀତ ଦ୍ଵାରା ଓ ସରଜୁ କୁଅଁରଙ୍କ ଗୁରୁଙ୍କ ଉପରେ ପର୍ଯ୍ୟବେସିତ ଏକ ଗୀତ ଦ୍ଵାରା ପ୍ରେକ୍ଷାଳୟ ସଙ୍ଗୀତମୟ ହୋଇଯାଇଥିଲା । ସେହିପରି ନୃତ୍ୟଶିଳ୍ପୀ ଅଭୀପସା ପତିଙ୍କ ଏକକ ଓଡ଼ିଶୀ ନୃତ୍ୟ ଓ ତାଙ୍କ ଶିଷ୍ୟାମାନଙ୍କ ଦ୍ଵାରା ଆଉ ଏକ ଓଡ଼ିଶୀ ନୃତ୍ୟ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ପରେ ଗୁରୁଙ୍କ ଆଉ ଜଣେ ପଟ୍ଟଶିଷ୍ୟ ଗଦାଧର ବରିହା ଓ ତାଙ୍କ ଦଳ ଦ୍ଵାରା ଶବ୍ଦନୃତ୍ୟ ପରିବେଷିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ କବି ନୀତିଶ ଆଚାର୍ଯ୍ୟ, ଗୀତାଞ୍ଜଳୀ ମିଶ୍ର ଓ ଚିନ୍ମୟୀ କଣ୍ଟା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ । ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଦଧିବାବନ ଶତପଥୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାସ, ସନ୍ତୋଷ କୁମାର ଦାସ, ଉଦ୍ଧବ ବେହେରା, ଅଶୋକ ପଶାୟତ, ମନୋରଞ୍ଜନ ମେହେର, ସନ୍ତୋଷିନୀ ଦାସ, ନୂରାବତୀ ସାହୁ, ସଙ୍ଗୀତା ଦୀପ, ସନ୍ତୋଷିନୀ ନାଗ, ଶିବାନନ୍ଦ ମଟାରୀ, ସାରଥୀ ମେହେର, ନେହେରୁ ସରାଫ, ସଂଘମିତ୍ରା ପଟେଲ, ତେଜରୁ ବାରିକ, ମାମରାଜ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସରଦାର ପ୍ରିତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!