ବିଶ୍ଵ ମାତୃଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଂଯୋଜନା ତଥା ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ଗଗନ ବିହାରୀ ଧଳ, ସମ୍ମାନିତ ଅତିଥି ଭାବେ ଡ. ସୁମନ ଦତ୍ତ ଯୋଗଦେଇ ବିଶ୍ୱ ମାତୃଭାଷା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି, ଅତିଥି, ଆବାହକ ତଥା ଉପସ୍ଥିତ ଭାଷା ପ୍ରେମୀମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ମାତୃଭାଷା ହେଉଛି ହୃଦୟର ଭାଷା । ଭାଷା ବିନା କଳା, ସାହିତ୍ୟ, ସଂସ୍କୃତି ମୂଲ୍ୟହୀନ । ପ୍ରତ୍ୟେକ ଜାତି ତାର ଭାଷା ଓ ସାହିତ୍ୟକୁ ନେଇ ଗର୍ବିତ । ମାତୃଭାଷା ମାଧ୍ୟମରେ ଜଣେ ବ୍ୟକ୍ତି ଅତି ସୁନ୍ଦର ଭାବରେ ହୃଦୟର ଭାବକୁ ବ୍ୟକ୍ତ କରିପାରେ । ଭାଷାର ମର୍ଯ୍ୟାଦା, ଭାଷାର ବିବିଧତା ଓ ସାଂସ୍କୃତିକ ଏକତାକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ମାତୃଭାଷା ଦିବସ ପାଳନ କରାଯାଏ । ବ୍ୟକ୍ତିତ୍ଵ ଗଠନରେ ମାତୃଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିଛି ରୁଗ୍ଣ ମାନସିକତାର ମଣିଷ ପାଇଁ ଆମ ମାତୃଭାଷା ଆଜି ଅସମ୍ମାନିତ, ଅସୁରକ୍ଷିତ ହୋଇରହିଛି । ତେଣୁ ମାତୃଭାଷାକୁ ସଂରକ୍ଷିତ ରଖି ପରବର୍ତ୍ତୀ ପିଢ଼ି ପାଇଁ ଆମ ମାନଙ୍କ ସହିତ ସରକାରଙ୍କ ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ସରକାର ଯଦି ଭାଷା ଆଇନକୁ କାର୍ଯ୍ୟକାରୀ କରନ୍ତେ ତେବେ ଆମର ଆଶଙ୍କା ଦୂର ହୋଇପାରିବ ବୋଲି ବକ୍ତାମାନେ କହିଥିଲେ । ଆସନ୍ତୁ ସମସ୍ତେ ମିଶି ଆମ ମାତୃଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦେବା ଉପରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବଳରାମ ରାଉଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଶ୍ରୀଧର ସୁନା, ଗଙ୍ଗାଧର ପୁହାଣ, ପ୍ରଫୁଲ୍ଲ ସାମଲ, ଶ୍ରୀଧର ସୁନା, ପରେଶ ବିଶ୍ୱାଳ, ସସ୍ମିତା ପ୍ରଧାନ, ଗୌତମ ଦାସ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.