ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମନହିରା ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ‘ହୋପ’ ଅନୁଷ୍ଠାନ ପକ୍ଷରୁ ପ୍ରାକ୍ ବଡଦିନ ଓ ଶିଶୁ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ଏହି ଅନୁଷ୍ଠାନ ଅଂଚଳର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନିରବଚ୍ଛିନ୍ନ ଭାବରେ ୧୦ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରିଆସୁଅଛି । ଅନୁଷ୍ଠାନର ସଂପାଦକ ଶିଶିର ଚନ୍ଦ୍ର ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଡେପୁଟି କଲେକ୍ଟର ତଥା ପୂର୍ବତନ ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି ବଡ ମଣିଷ ହୋଇ ଜିଲ୍ଲା, ରାଜ୍ୟ ତଥା ଦେଶର ଉନ୍ନତିର ସହାୟକ ହେବା ସହିତ ଅଂଚଳକୁ ଗୌରାବାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ପୁଣି ଗରିବ ତଥା ଅବହେଳିତ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ବୌଦ୍ଧିକ ବିକାଶ ନିମନ୍ତେ ହୋପ ଅନୁଷ୍ଠାନ ଦ୍ୱାରା ବିଗତ ୧୦ ବର୍ଷଧରି ମାଗଣା ଟ୍ୟୁସନ କରିଥିବାରୁ ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଚାର୍ଯ୍ୟ ପ୍ରୀତମ ସୁନା ଛାତ୍ରଛାତ୍ରୀମାନଙ୍କୁ ପାଠ ପଢା ସହିତ ଚରିତ୍ର ଗଠନ ନିମନ୍ତେ ପରାମର୍ଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ. ଭଞ୍ଜ କିଶୋର ନାଗ, ଲୋଭାବତି ନାଗ, ଆଦିତ୍ୟ ହନୁମାନ, ରାଜ କିଶୋର ବାରିକ, ଜ୍ୟୋସ୍ନାରାଣୀ ନାଗ, ଗୀତାଞ୍ଜଳି ନନ୍ଦ, ଦିଲ୍ଲୀପ କୁମାର ନାଗ, ଆଲେକଜେଣ୍ଡାର ବାଗ, ବିଶ୍ୱଜିତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶିର ଚନ୍ଦ୍ର ନାଗ, ଏଞ୍ଜେନା ନାଗ, ବବିତା ନାଗ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରିଥିବାରୁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ଶେଷରେ ଏଞ୍ଜେଲା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।