jayashree

ଅଁଳା ନବମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ତିଥି ଅନୁସାରେ ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି । ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ । ଆଜି ମଧ୍ୟ ଶ୍ରୀରାଧାଙ୍କ ପାଦ ଦର୍ଶନ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ଶ୍ରୀରାଧାଙ୍କର ପାଦପଦ୍ମକୁ ବର୍ଷକେ ଥରେ କାର୍ତ୍ତିକ ଅଁଳା ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଆଜିର ଦିନରେ ଶ୍ରୀ ରାଧା ବିଭିନ୍ନ ରତ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଶାସ୍ତ୍ର ଅନୁସାରେ,ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଅଁଳା ନବମୀ ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ । ପୌରାଣିକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ଭୂଲୋକକୁ ଭ୍ରମଣ କରିବାକୁ ଆସିଥିଲେ । ମର୍ତ୍ତ୍ୟଲୋକକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ଇଚ୍ଛା କଲେ ସେତେବେଳେ ସେ ମନେ ପକାଇଲେ ଯେ, ତୁଳସୀ ବିଷ୍ଣୁଙ୍କର ପ୍ରିୟ, କିନ୍ତୁ ଶିବଙ୍କର ନୁହେଁ । ଶିବଙ୍କ ପୂଜାରେ ତୁଳସୀ ଲାଗେନି । କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି । ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି । ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ । ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ । ତତ୍‌ପଶ୍ଚାତ ମାତା ସେଇ ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ । ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା । କଥିତ ଅଛି ଯେ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା ଓ ପରିକ୍ରମା ପୂର୍ବକ ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ । ମହିଳା ମାନେ ସନ୍ତାନ ପ୍ରାପ୍ତି ତଥା ସନ୍ତାନଙ୍କର ମଙ୍ଗଳ କାମନା କରି ଅଁଳା ଗଛକୁ ପୂଜା କରିଥାନ୍ତି । ହଳଦୀ, ସିନ୍ଦୂର ଆଦି ଲଗାଇବା ପରେ ଗଛରେ କ୍ଷୀର ଅର୍ପଣ କରାଯାଏ । ଏହାପରେ ଗଛର ପରିକ୍ରମା କରାଯାଏ । ଗଛରେ ନାଲି ସୂତା ଗୁଡ଼ା ଯାଇଥାଏ । ପୂଜା ପରେ ବ୍ରତ କଥା ପଢ଼ାଯାଏ । ହବିଷ୍ୟାଳିମାନେ କାର୍ତ୍ତିକ ମାସରେ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧିବା ସହ ଚାରିପଟେ ପ୍ରଦକ୍ଷିଣ କରିଥାନ୍ତି । ପଦ୍ମପୁରାଣ ଅନୁଯାୟୀ, ଏହି ଦିନ ଅଁଳା ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ ।

Leave A Reply

Your email address will not be published.