ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସ୍ଵାନ ହଲ୍‌ରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଏହି ଶପଥ ପାଠ କରାଇଥିଲେ । ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତିପଥେ ଦୁର୍ନୀତି ସବୁଠୁ ବଡ ପ୍ରତିବନ୍ଧକ । ତେଣୁ ଏହାର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ତଥା ଘରୋଇ କ୍ଷେତ୍ରରେ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ । ତେଣୁ ସମସ୍ତ ନାଗରିକ ସବୁ ସମୟରେ ସତର୍କତା ତଥା ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ୍‌ ବୋଲି ଶପଥ ପାଠ ହେଇଥିଲା । ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନ ଅନୁପାଳନ କରିବା, ଉତ୍କୋଚ ନନେବାକୁ କି ନଦେବାକୁ ତଥା ନିଜ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବାକୁ ସମସ୍ତେ ଶପଥ ନେଇଥିଲେ । ଜନସାଧାରଣଙ୍କ ହିତ ସାଧନ ସହ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ସମସ୍ତେ ଶପଥ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସ୍‌ଡିପିଓ ପ୍ରଦୀପ ସାହୁ, ଟାଉନ ଥାନା ଆଇଆଇସି ଅବନୀ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଡିପିସି ମିଶନ ଶକ୍ତି ସୁମନ ଦ୍ଵିବେଦୀ ଏବଂ ଭିଜିଲାନ୍ସ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.