ଇନର୍‌ ହୁଇଲ୍‌ କ୍ଲବ ୫ମ ଅଧିଷ୍ଠାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନର୍‌ ହୁଇଲ୍‌ କ୍ଲବ୍ ଅଫ୍ ରାଉରକେଲା ରିଭର୍‌ସାଇଡ୍‌ ତରଫରୁ ୫ମ ଅଧିଷ୍ଠାନ ଦିବସ ବ୍ରାହ୍ମଣୀ କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବ୍‌ର ବିଦାୟୀ ସଭାପତି ପ୍ରମିଳା ମିଶ୍ର ଓ ସାଧାରଣ ସମ୍ପାଦକ ମହିମା ମହାପାତ୍ର ନୂତନ ସଭାପତି ଅଜିତା ମହାନ୍ତି ଓ ନୂତନ ସାଧାରଣ ସମ୍ପାଦିକା ସୁପ୍ରିୟା ମହାନ୍ତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ପିପି ଡ. ମୀନତି ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ସଞ୍ଚାର ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ମୁଖ୍ୟ ଅତିଥି ଓ ଆର୍‌ଜିଏଚ୍‌ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟାରାଣୀ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଶତପଥି ଅନୁଷ୍ଠାନର କାର୍ଯ୍ୟରେ ଅଭିଭୂତ ବୋଲି କହିବା ସହ ନାରୀ ସଶକ୍ତିକରଣ, ଆହ୍ୱାନକୁ ଗ୍ରହଣ ଓ ଏଥିରେ ପୁରୁଷ ମାନଙ୍କ ସହଭାଗିତାକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଡା. ପ୍ରଧାନ କ୍ୟାନ୍‌ସର୍‌ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ବ୍ୟାଖ୍ୟା କରି, ଏଥିପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମାଜସେବୀ ଆଦିତ୍ୟ ମହାପାତ୍ର ଓ ଲଲାଟେନ୍ଦୁ ପ୍ରଧାନଙ୍କୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସୁଶ୍ରୀ ସ୍ନେହା ପଣ୍ଡାଙ୍କୁ ଏକ ସାଇକେଲ ଓ ବ୍ୟାଗ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଞ୍ଜିତା ପାଣିଗ୍ରାହୀଙ୍କୁ ନୂତନ ସଭ୍ୟ ଭାବେ ଗ୍ରହଣ କରାଯାଇ ମୁଖ୍ୟଅତିଥିଙ୍କ ଦ୍ଵାରା ପିନ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ଦେବତା, ପ୍ରତିମା ମହାପାତ୍ର, ଆରତୀ ଷଡ଼ଙ୍ଗୀ, ରୀତାଞ୍ଜଳୀ ରାୟ, ଅନିତା ନାୟକ, ମଞ୍ଜୁବାଳା ପାଢ଼ୀ, ସୋନିଆ ମାଝୀ, ଡ. ସଞ୍ଜୁକ୍ତା ପତି, ମମତା ପାଠୀ, ମଞ୍ଜୁବାଳା ମହାପାତ୍ର, ସବିତା ମହାନ୍ତି, ରାଜଲକ୍ଷ୍ମୀ ଧୀର, ସନ୍ଧ୍ୟାରାଣୀ ବରାଳ, ସିମ୍‌ରନ୍ ଜିତ୍, ମଞ୍ଜୁଳା ପାତ୍ର, ଡିମ୍ପଲ ସାହୁ, ଅମ୍ରିତା ତ୍ରିପାଠୀ, ଡ. ତନୁଶ୍ରୀ ଜେନା, ବୀଣାପାଣି ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି କାବେରୀ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଇଂ ଅଜିତ ପୁଜାରୀ ବନ୍ଧୁତ୍ୱ ଦିବସ ଉପଲକ୍ଷେ ସୁନ୍ଦର ସଂଗୀତ ଗାନ କରିଥିଲେ ।

Leave A Reply

Your email address will not be published.