
କୋଣାର୍କ : ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଅସ୍ତରଙ୍ଗରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ପାଞ୍ଚଟି ଜାଗାରେ ପକ୍ଷୀ ଗଣତି ହୋଇଥିବା ବେଳେ କୋଣାର୍କ ରେଞ୍ଜର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗଣନା । ଅସ୍ତରଙ୍ଗ ଅଞ୍ଚଳର ଗଙ୍ଗାଦେବୀ ଠାରୁ ନାସି, ନଟରା ଠାରୁ କେଉଟଜଙ୍ଗା, ବେଲେଶ୍ୱରରୁ କେଳୁଣୀ, କଣମଣରୁ ଗଙ୍ଗା, ଦେବୀ ନାସି ଓ ପାଟସୁନ୍ଦରପୁର ଅଞ୍ଚଳରେ ପକ୍ଷୀ ଗଣନା ଚାଲିଛି ।
ମୋଟ ୫ଟି ଟିମ୍ରେ ୧୫ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବାଇନାକୁଲର, ଗାଇଡି ବୁକ୍ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସକାଳ ୫ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ଦିନ ୧୦ଟା ଯାଏଁ ଚାଲିବ । ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଅଞ୍ଚଳରେ ମସ୍ୟଜୀବୀଙ୍କ ମାଛ ଧରା ଉପରେ କଟକଣା ଲଗାଯାଇଛି । ଏହି ଗଣନା କାର୍ଯ୍ୟରେ ତିନୋଟି ଡ଼ଙ୍ଗା ସହ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପକ୍ଷୀ ବିଶାରଦ, ପକ୍ଷୀ ସୁରକ୍ଷା ବାହିନୀ ସାମିଲ ହୋଇଛନ୍ତି । ଅସ୍ତରଙ୍ଗ ବନ ଅଧିକାରୀ ବିଚିତ୍ରା ନନ୍ଦ ବେହେରା ଏହାର ମନିଟରିଂ କରୁଛନ୍ତି ।