ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା କାଲି ଓଡ଼ିଶା କଂଗ୍ରେସ ପକ୍ଷରୁ ସାରା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ପରେ ଦୁଇ ଦିନ ଏମସରେ ଚିକିତ୍ସିତ ହେବା ପରେ ଆଖି ବୁଜିଲେ । ଜଣେ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯ୍ୟାତନା ବିରୋଧରେ ଛାତ୍ରୀ ଜଣକ ୬ ମାସ କାଳ ବିଭିନ୍ନ ସମୟରେ କଲେଜ୍ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ଗୃହବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ସତ୍ତ୍ୱେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ । ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରି କଂଗ୍ରେସ ଓ ସମସ୍ତ ବାମପନ୍ଥୀ ଦଳ ତରଫରୁ ଆସନ୍ତା କାଲି ଜୁଲାଇ ୧୭ ତାରିଖ ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍, ଯାନବାହନ, କାର୍ଯ୍ୟାଳୟ ଦପ୍ତର ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ହେବା ନେଇ ଆଜି ପାଇକମାଲ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବୈଠକରେ ସୂଚନା ଦେଇଛନ୍ତି ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ । ଆଜି ଏହି ବୈଠକରେ ବିଜୟାନନ୍ଦ ପଟ୍ଟନାୟକ, ବିନୋଦ କାଳିଆ, ସନ୍ତୋଷ ପାଣିଗ୍ରାହୀ, ମହେନ୍ଦ୍ର ଖୁଣ୍ଟିଆ, ମନୋଜ ତ୍ରିବେଦୀ, ମୁଜାଫର ହୁସେନ, ବିକାଶ ବହିଦାର, ଅଶ୍ଵିନି ପଟେଲ, ପଙ୍କଜ ବାଗ, ଉମାକାନ୍ତ ବାଗ ସମେତ ଅନ୍ୟ ସଦସ୍ୟ ଯୋଗଦାନ କରିଥିଲେ ।