
ଲୋଇସିଂହା, (କେପିଏନ୍ଏସ୍) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ, ଠାରେ ଓଡ଼ିଆ ପକ୍ଷ ପାଳନ ହୋଇଯାଇଛି । ଏହି ଅବସରରେ ‘ଆସ ବହିଟିଏ କିଣିବା’ ଓ ‘ଲେଖକ ସମ୍ମିଳନୀ’ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମନରେ ପୁସ୍ତକ କ୍ରୟ ଓ ପଠନ କରିବାର ଆଗ୍ରହ ବୃଦ୍ଧି ନିମିତ୍ତ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ବିଭାଗ ତରଫରୁ ଏକ ଛୋଟ ବହି ଦୋକାନ ଖୋଲାଯାଇଥିଲା । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ବରପୁତ୍ର ମାନଙ୍କ ଜୀବନୀ, ପର୍ଯ୍ୟଟନ ସ୍ଥଳି, ପର୍ବପର୍ବାଣୀ, ଆଧ୍ୟାତ୍ମିକତା ଆଦି ସଂପର୍କିତ ବିଭିନ୍ନ ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା । ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ମାନେ ନିଜ ମନ ପସନ୍ଦର ପୁସ୍ତକ କ୍ରୟ କରିବା ସହ ଗ୍ରାମାଞ୍ଚଳରେ ପୁସ୍ତକ ମେଳାର ମଜା ନେଇଥିଲେ । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ଉଦଘାଟନ କରିଥିବାବେଳେ ଓଡ଼ିଆ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଦାଶ ଓ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେରଙ୍କ ତତ୍ତ୍ୱାବଧାନରେ ଛାତ୍ର ମୋହନ, ରୋଶନ, ପ୍ରତ୍ୟୁଷ, ଚିନ୍ମୟ ପ୍ରମୁଖ ପରିଚାଳନା କରିଥିଲେ । ପରେ ସାରସ୍ୱତ ସାଧନା କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ସାରସ୍ୱତ କଳାର ବିକାଶ ପାଇଁ ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ବିରେନ୍ଦ୍ର ପ୍ରତାପ ତ୍ରିପାଠୀ, ସୁକେଶ ପଟେଲ, ଦୀପା ପଟେଲ, ଗଳ୍ପ ଲିଖନରେ ବିରେନ୍ଦ୍ର ପ୍ରତାପ ତ୍ରିପାଠୀ, ମନୋଜ ଭୋଇ, ଦୀପା ପଟେଲ ଓ କବିତା ଲିଖନରେ ସାଗରିକା ପୋଢ, ବିରେନ୍ଦ୍ର ପ୍ରତାପ ତ୍ରିପାଠୀ, ସୁକେଶ ପଟେଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ଯୁବ ଲେଖକ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ଏହି ଅବସରରେ ଆସନ୍ତା ୧୨ ତାରିଖ ଶନିବାର ଦିନ ମହାବିଦ୍ୟାଳୟ ପରିସରରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେବ । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟକ ରକ୍ତଦାତା ଯୋଗଦେଇ ସ୍ୱଚ୍ଛାକୃତ ରକ୍ତଦାନ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ନିବେଦନ କରିଛନ୍ତି ।