ଦେଶରେ ଲାଇଟ୍ ହାଉସ୍ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଲାଇଟ ହାଉସଗୁଡ଼ିକର ଆଧୁନିକୀକରଣ କରିବା ଫଳରେ ୧୬ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଛି : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ
  • ଆଧୁନିକ ବନ୍ଦରଗୁଡ଼ିକ ସହିତ ଭାରତ ଏବେ ବିଶ୍ୱର ସର୍ବବୃହତ ସାମୁଦ୍ରିକ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି : କେନ୍ଦ୍ର ମନ୍ତ୍ରୀ ସୋନୱାଲ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୁରୀରେ ଆୟୋଜିତ ହେଉଥିବା ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି । ଦେଶର ସାମୁଦ୍ରିକ ଇତିହାସରେ ଲାଇଟ୍ ହାଉସ୍‌ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଦେଶରେ ଥିବା ଲାଇଟ୍ ହାଉସ୍ ଗୁଡ଼ିକ ସମ୍ପର୍କରେ ନୂଆପିଢ଼ି ଏବଂ ଦେଶର ୧୪୦ କୋଟି ଜନତାଙ୍କୁ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିପାଇଁ ସହଯୋଗ ଯୋଗାଇ ଦେବା ନିମନ୍ତେ ସେ ଓଡ଼ିଶା ସରକାର, ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ସୋନୱାଲ କହିଥିଲେ, ଗୁଜରାଟ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ୭ ହଜାର ୫୦୦ କିଲୋମିଟର ଲମ୍ବା ଉପକୂଳ କ୍ଷେତ୍ରରେ ୨ ଶହରୁ ଅଧିକ ଲାଇଟ୍ ହାଉସ ରହିଛି । ଏସବୁ ଶତାଧିକ ବର୍ଷ ପୁରୁଣା । ଶହ ଶହ ବର୍ଷ ଧରି ଏହି ଲାଇଟ୍ ହାଉସ୍‌ ଗୁଡ଼ିକ ଭାରତର ସାମୁଦ୍ରିକ ବାଣିଜ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି । ଏସବୁ ଲାଇଟ୍ ହାଉସରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁରୂପ ଭାରତର ମନୋରମ ସାମୁଦ୍ରିକ ପରିଦୃଶ୍ୟ ଓ ଉପକୂଳବର୍ତ୍ତୀ କ୍ଷେତ୍ରର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନାକୁ ବିନିଯୋଗ କରିବା ଲାଗି ଭାରତ ସରକାର ପଦେକ୍ଷପ ନେଉଛନ୍ତି । ଏଥିରେ ସେ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ସହଯୋଗ କାମନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଲାଇଟ ହାଉସଗୁଡ଼ିକର ଆଧୁନିକୀକରଣ କରାଯାଇଛି, ସେଗୁଡ଼ିକର ଆକର୍ଷଣ ବୃଦ୍ଧି କରାଯାଇଛି ଯାହାଫଳରେ ଗତ ୧୦ ବର୍ଷ ମଧ୍ୟରେ ଲାଇଟ୍ ହାଉସ୍ ଦେଖିବା ଲାଗି ୧୬ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଏହାକୁ ୫୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବା ଲାଗି ନୂଆ ଯୋଜନା ଓ ବ୍ୟବସ୍ଥା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଲାଇଟ୍ ହାଉସ୍ ପର୍ଯ୍ୟଟନ ଦ୍ୱାରା ଲକ୍ଷାଧିକ ଯୁବବର୍ଗଙ୍କୁ ନିଯୁକ୍ତି ମିଳିପାରିବ ଏବଂ ଏହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟ ଓ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ । ଶ୍ରୀ ସୋନୱାଲ କହିଥିଲେ, ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଅର୍ଥବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖିଛି । ଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବନ୍ଦରଗୁଡ଼ିକର ଆଧୁନିକୀକରଣ, ଯାନ୍ତ୍ରିକୀକରଣ ଏବଂ ଡିଜିଟାଲକରଣ କରାଯାଇଛି । ଆଧୁନିକ ବନ୍ଦରଗୁଡ଼ିକ ସହିତ ଭାରତ ଏବେ ଜାହାଜ ନିର୍ମାଣ ଓ ମରାମତି ଏବଂ ସବୁଜ ହାଇଡ୍ରୋଜେନ୍ର କେନ୍ଦ୍ର ହେବାକୁ ଯାଉଛି ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବର ପ୍ରଥମ ଦିନରେ ଆଜି ପୁରୀରେ ଲାଇଟ୍ ହାଉସ୍ ପର୍ଯ୍ରଟନ ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରୀ ଅଧିକାରୀ, ପର୍ଯ୍ୟଟନ ବିଶେଷଜ୍ଞ ଓ ସଂରକ୍ଷକଙ୍କ ସମେତ ୧୦୦ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଛନ୍ତି । ଲାଇଟ୍‌ ହାଉସ୍ ପର୍ଯ୍ୟଟନର ବିପୁଳ ସମ୍ଭାବନା ଏବଂ ଏହି ସାମୁଦ୍ରିକ ଢାଞ୍ଚା ଗୁଡ଼ିକର ସଂରକ୍ଷଣ ପାଇଁ ରଣନୀତି ଅନୁସନ୍ଧାନ କରିବା, ପର୍ଯ୍ୟଟନ ବିକାଶକୁ ଐତିହ୍ୟ ସଂରକ୍ଷଣ ସହିତ ମିଶ୍ରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

Leave A Reply

Your email address will not be published.