ଲୋୟର ସୁକ୍‌ତେଲ୍‌ ବୁଡ଼ି ଅଂଚଳରେ ବିଶ୍ୱାସରେ ବିଷ ଦେଲା ପଡୋଶୀ ସଂପର୍କୀୟ : ବ୍ୟାଙ୍କ ଖାତାରୁ ଉଠାଇ ନେଲା ୫ ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାସରେ ବିଷ ଦେଲା ପଡୋଶୀ ସଂପର୍କୀୟ । ଆକାଉଣ୍ଟଧାରୀଙ୍କ ଅଜାଣତରେ ଶାଖା ବଦଳାଇ ଟଙ୍କା ଉଠାଇନେଲା, ନିରକ୍ଷରତାର ସୁଯୋଗ ନେଇ ବ୍ୟାଙ୍କ ଆକାଉଣ୍ଟରୁ ନକଲି ଟିପଚିହ୍ନ ବଳରେ ଉଠାଇନେଲା ୫ ଲକ୍ଷ ଟଙ୍କା । ଏବେ ବଲାଙ୍ଗିର ସାଇବର୍‌ ପୋଲିସ୍‌ ହାତରେ ଧରାପଡ଼ି ଜେଲ୍‌ ହାଜତ୍‌ରେ ବିଶ୍ୱାସରେ ବିଷ ଦେଇଥିବା ପଡେ଼ାଶୀ ସଂପର୍କୀୟ । ସୂଚନା ଅନୁସାରେ ଉଭୟ ଅଭିଯୋଗକାରୀ ପୂର୍ଣ୍ଣ ଧରୁଆ(୬୫) ଓ ଅଭିଯୁକ୍ତ ଠକ ଚିତ୍ତରଂଜନ ଧରୁଆ ଲୋୟର୍‌ ସୁକ୍‌ତେଲ୍‌ ବୁଡ଼ି ଅଂଚଳ ଅନ୍ତର୍ଗତ ଖଗସାବାହାଲରେ ଏକାଠି ରହୁଥିଲେ । ପୂର୍ଣ୍ଣ ନିରକ୍ଷର ହୋଇଥିବା କାରଣରୁ ଗତ ୨୫ରୁ ୩୦ ବର୍ଷ ହେବ ସବୁ କାମରେ ପୂର୍ଣ୍ଣଙ୍କୁ ସହଯୋଗ କରି ଆସୁଥିଲା ଚିତ୍ତରଂଜନ । ତେବେ ଗତ ୨୦୧୪ ମସିହାରେ ବିସ୍ଥାପନ ରାଶି ଆସିବ ବୋଲି ପୂର୍ଣ୍ଣଙ୍କ ନାଁରେ ଚୂଡ଼ାପାଲି ଏସ୍‌ବିଆଇରେ ଏକ ଆକାଉଣ୍ଟ ଖୋଲି ଦେଇଥିଲା ଚିତ୍ତରଂଜନ ଧରୁଆ । ପର୍ଯ୍ୟାୟ କ୍ରମେ ପୂର୍ଣ୍ଣଙ୍କ ଆକାଉଣ୍ଟକୁ ବିସ୍ଥାପନ ଟଙ୍କା ଆସିବା ଆରମ୍ଭ ହେବା ବେଳକୁ ଚିତ୍ତ ମନରେ ଉଦୟ ହେଲା ଲୋଭ । ଏତିକି ବେଳେ ପୂର୍ଣ୍ଣଙ୍କ ନିରକ୍ଷରତାର ସୁଯୋଗ ନେଇ ପୂର୍ଣ୍ଣଙ୍କ ଆକାଉଣ୍ଟ ସହ ନିଜ ମୋବାଇଲ୍‌ ନମ୍ବର ଲିଙ୍କ କରିଦେଲା ଏବଂ ପରେ ନକଲି କାଗଜପତ୍ର କରି ପୂର୍ଣ୍ଣଙ୍କ ଆକାଉଣ୍ଟକୁ କଂଟାବାଂଜି ଶାଖାକୁ ଟ୍ରାନ୍ସଫର କରିଦେଲା ଓ ସେଥିରୁ ୫ ଲକ୍ଷ ଟଙ୍କା ଉଠାଇନେଲା । ନିକଟରେ ଚୂଡ଼ାପାଲି ଶାଖାରୁ ତାଙ୍କ ଆକାଉଣ୍ଟ ଟ୍ରାନ୍ସଫର୍‌ ହୋଇଥିବା କଥା ପୂର୍ଣ୍ଣ ଜାଣିବା ପରେ ସେ କଂଟାବାଂଜି ଶାଖାକୁ ଯାଇ ବୁଝିବା ବେଳକୁ ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଉଠାଯାଇଥିବା କଥା ଜାଣି ପାରିଥିଲେ । ଏହାପରେ ସେ ଲିଖିତ ଅଭିଯୋଗ କରିବା ପରେ ବଲାଙ୍ଗିର ସାଇବର୍‌ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଠକ ସଂପର୍କୀୟ ଚିତ୍ତରଂଜନକୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ ।

Leave A Reply

Your email address will not be published.