
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ଆଜି ପଦାରେ ପଡ଼ିଛି । ଏପରିକି ବିଜେପି.ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆଜି ଅପରାହ୍ନରେ ବଲାଙ୍ଗିର ସହର ଉପକଣ୍ଠ ବିଜାଖମନ ଠାରୁ ଏକ ଭବ୍ୟ ର୍ୟାଲିର ଆୟୋଜନ କରାଯାଇଥିବା ବେଳେ ଏଥିରେ ଶହ ଶହ ବିଜେପି କର୍ମୀ ସାମିଲ୍ ହୋଇଥିଲେ । ର୍ୟାଲି ଆସିବା ସମୟରେ ଆର୍ଟିଓ ଛକରେ ଗତ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଏବଂ ବଲ୍ଲୁ ଭାଇ ଓରଫ୍ ବଳରାମ ସିଂ ଯାଦବ ନିଜ ସମର୍ଥକଙ୍କ ସହ ଉପସ୍ଥିତ ଥିବା ବେଳେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ୍, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ବିଜେପିର ଯୁବନେତା ଗୋପାଳଜୀ ପାଣିଗ୍ରାହୀଙ୍କ ଗାଡ଼ି ଅକଟି ନଥିଲା । ଏଥିରେ କ୍ଷୁବ୍ଧ ହୋଇ ଅସନ୍ତୁଷ୍ଟ ଗୋଷ୍ଠୀ ଯୁବନେତା ଗୋପାଳଜୀଙ୍କୁ ଗାଡ଼ି ଉପରୁ ଘୋଷାଡ଼ି ଆଣିଥିବା ବେଳେ ଦୁଇ ଗୋଷ୍ଠୀ ଭିତରେ ହାତାହାତି, ସାର୍ଟ ଫଡ଼ାଫଡ଼ି ଭଳି ପରିସ୍ଥିତି ଉପୁଜିଥିଲା । କିଛି ସମୟ ରଣକ୍ଷେତ୍ର ଭଳି ମନେ ହୋଇଥିଲା ର୍ୟାଲି ସ୍ଥଳ । ଏହା ପରେ ଅନନ୍ତ ଦାସ ଏବଂ ବଲ୍ଲୁ ଭାଇ ଘଟଣା ସ୍ଥଳରୁ ଫେରାର୍ ହୋଇଥିବା କୁହାଯାଉଛି । ଅନ୍ୟପଟେ ଏବେ ଯୁବନେତା ଗୋପାଳଜୀ ଅଭିଯୋଗ କରିବା ପାଇଁ ବଲାଙ୍ଗିର ଟାଉନ୍ ଥାନାରେ ପହଂଚିଥିବା ଦେଖିବାକୁ ମିଳିଛି ।