ପୋର୍ଟ ବ୍ଲେୟାରରେ ପରାକ୍ରମ ଦିବସ ଅବସରରେ ଜୟହିନ୍ଦ ପଦଯାତ୍ରାର ନେତୃତ୍ୱ ନେବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ

  • ପଦଯାତ୍ରାରେ ଯୋଗ ଦେବେ ଦେଢ ହଜାର ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ଜାତୀୟ ପରାକ୍ରମ ଦିବସ ପାଳନ ଅବସରରେ ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରରେ ଆସନ୍ତା ୨୩ ତାରିଖରେ ଜୟ ହିନ୍ଦ ପଦଯାତ୍ରା ଅନୁଷ୍ଠିତ ହେବ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ ଏହାର ନେତୃତ୍ୱ ନେବେ । ନେତାଜୀଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ କାର୍ଯ୍ୟକ୍ରମରେ ଦେଢ ହଜାର ମାଇ ଭାରତ ଯୁବ ସ୍ୱେଚ୍ଛାସେବୀ ଓ ଯୁବ ନେତୃତ୍ୱ ଅଂଶଗ୍ରହଣ କରିବାର ରହିଛି । ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀର ଗାଥାର ବାତ୍‌ର୍ତ୍ତା ନେଇ ଫ୍ଲାଗ ପଏଂଟରୁ ନେତାଜୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ପାଂଚ କିଲୋମିଟର ରାସ୍ତା ଏହି ପଦଯାତ୍ରୀମାନେ ଅତିକ୍ରମ କରିବେ । ଏକ ସ୍ୱାଧୀନ ଓ ବିକଶିତ ଭାରତବର୍ଷ ପାଇଁ ନେତାଜୀଙ୍କ ଅବଦାନକୁ ମନେ ପକାଇ ବିଭିନ୍ନପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ପ୍ରମୁଖ କାର୍ଯ୍ୟକ୍ରମ
ଯୁବକମାନଙ୍କ ଲାଗି ପ୍ରତିଯୋଗିତା : ‘ସୁଭାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା’ ଶୀର୍ଷକରେ ଏକାଧିକ ପ୍ରତିଯୋଗିତା । ସ୍ୱାଧୀନତା ସଂଗ୍ରାମ କାଳରେ ନେତାଜୀଙ୍କ ଉତ୍ସର୍ଗୀକୃତ ଜାବନ ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କୁଇଜ, ଡିକ୍ଲାମେସନ ପ୍ରତିଯୋଗିତା ।
ସାଂସ୍କୃତିକ କାର୍ଯ୍ୟକ୍ରମ : ଉଦ୍‌ଘାଟନୀରେ ଗ୍ରୁପ ସଙ୍ଗୀତ, ପାରମ୍ପରିକ ନାଚଗୀତ ସହ ସୁଭାଷ ବୋଷଙ୍କ ଜୀବନି ସମ୍ପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ।
ପ୍ରଦର୍ଶନୀ ଓ ଷ୍ଟଲ : ସ୍ୱାଧୀନତା ସଂଗ୍ରାମ କାଳରେ ନେତାଜୀଙ୍କ ଜୀବନୀ ଓ ମାଇଲଖୁଂଟ ଉପରେ ଫଟୋ ଗ୍ୟାଲେରୀ । ସ୍ଥାନୀୟ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ପୂର୍ବକ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କଳା ନୈପୁଣ୍ୟ ପ୍ରଦର୍ଶନର ଷ୍ଟଲ ।
ଯୁବ ପ୍ରତିଭା ସମ୍ବର୍ଦ୍ଧନା : ଦେଶ ନିର୍ମାଣ ଓ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ଯୁବ ନେତୃତ୍ୱଙ୍କୁ ସମ୍ବର୍ଦ୍ଧନା ।
ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା : ନେତାଜୀ ପରମ୍ପରା ଓ ଭାରତର ପ୍ରତିରକ୍ଷା ଶକ୍ତି ମଧ୍ୟରେ ସମାନତା ଟାଣିବାକୁ ସେନାଧିକାରୀ ଓ ସେମାନଙ୍କ ପରିବାରକୁ ଆମନ୍ତ୍ରଣ ।
ଭାରତୀୟ ସମ୍ବିଧାନ ଓ ସାଂସ୍କୃତିକ ବିବିଧତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ରହିଥିବା ୨୪ଟି କାର୍ଯ୍ୟକ୍ରମ ସିରିଜ ଭିତରୁ ପଂଚମରେ ରହିଛି ପୋର୍ଟ ବ୍ଲେୟାରର ଏହି ଜୟହିନ୍ଦ ପଦଯାତ୍ରା । ବର୍ଷ ସାରା ପାଳନ ହେବାକୁ ରହିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ପ୍ରତି ମାସରେ ମାଇ ଭାରତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଦୁଇଟି ପଦଯାତ୍ରା ଅନୁଷ୍ଠିତ ହେବାର ରହିଛି ।
ନେତାଜୀଙ୍କ ସ୍ୱପ୍ନର ବିକଶିତ ଓ ଆତ୍ମ ନିର୍ଭର ଭାରତୀୟ ଭାବଧାରାରେ ଯୋଡି ହୋଇ ମାଇ ଭାରତ ପୋର୍ଟାଲରେ ପଞ୍ଜିକରଣ କରି ସାରା ଦେଶର ଯୁବକ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.