ମୌନି ଅମାବାସ୍ୟା ଅବସରରେ ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁ ସଂଗମରେ ପକାଇଲେ ପବିତ୍ର ବୁଡ଼
- ଅମୃତ ସ୍ନାନ ବେଳେ ସଂଗମରେ ପ୍ରଥମ ବୁଡ଼ ପକାଇବାର ପରମ୍ପରାକୁ ଭାଙ୍ଗିଲେ ଆଖଡ଼ା
- ପରମ୍ପରା ଅନୁସାରେ ଆଖଡ଼ାର ସାଧୁ ସନ୍ୟାସୀମାନେ ପ୍ରଥମେ ଅମୃତ ସ୍ନାନ କରନ୍ତି, ଏଥର କିନ୍ତୁ ସଂଗମରେ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଆଗ ଅମୃତ ସ୍ନାନ କରିବାକୁ ଦିଆଯାଇଥିଲା
- ସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା
- ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇ ମହାକୁମ୍ଭରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଅସାଧାରଣ ଝଲକ୍ ଦେଖିଲେ ବିଦେଶୀ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ, (ପିଆଇବି) : ପବିତ୍ର ମୌନି ଅମାବାସ୍ୟାରେ ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି । ପ୍ରୟାଗରାଜର ଶାଶ୍ୱତ ଓ ପବିତ୍ର ତ୍ରିବେଣୀ ସଂଗମରେ କୋଟି କୋଟି ଶ୍ରଦ୍ଧାଳୁ ଦ୍ୱିତୀୟ ଅମୃତ ସ୍ନାନ କରିଛନ୍ତି । ମହାକୁମ୍ଭ କେବଳ ଆସ୍ଥା, ବିଶ୍ୱାସ ଓ ଭକ୍ତିର ପ୍ରତୀକ ନୁହେଁ, ଏହା ମଧ୍ୟ ହେଉଛି ଏକତା, ସମାନତା ଓ ସାଂସ୍କୃତିକ ବିବିଧତାର ଅନନ୍ୟ ଉଦାହରଣ । ଭାରତୀୟଙ୍କ ସହିତ ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି ଓ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଖିଛନ୍ତି । ସବୁବେଳେ ସାଧୁ, ନାଗା ସନ୍ୟାସୀ ଓ ଆଖଡ଼ାଗୁଡ଼ିକ ସଂଗମରେ ପ୍ରଥମେ ବୁଡ଼ ପକାଉଥିବା ବେଳେ ଏଥର ସେମାନେ ସେହି ପରମ୍ପରାକୁ ଭାଙ୍ଗିଥିଲେ । ପରିସ୍ଥିତିକୁ ଦେଖି ଆଖଡ଼ାଗୁଡ଼ିକ ବ୍ରହ୍ମ ମୁହୂର୍ତ୍ତ ସ୍ନାନକୁ ଘୁଞ୍ଚାଇ ଦେଇଥିଲେ ଏବଂ ଅନ୍ୟ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ବୁଡ଼ ପକାଇବାକୁ ଦେଇଥିଲେ । ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ରବୀନ୍ଦ୍ର ପୁରୀ କହିଛନ୍ତି, ପରିସ୍ଥିତିକୁ ଦେଖି ପ୍ରଥମେ ଅନ୍ୟ ଭକ୍ତମାନଙ୍କୁ ଅମୃତ ସ୍ନାନର ବୁଡ଼ ପକାଇବାର ଅନୁମତି ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରତୀକାତ୍ମକ ଭାବେ ଆଖଡ଼ାଗୁଡ଼ିକ ନିଜ ନିଜର ମହା ଅମୃତ ସ୍ନାନ ପରମ୍ପରା ପାଳନ କରିଥିଲେ । ଭାରତର ତିନିଟି ପୀଠର ଶଙ୍କରାଚାର୍ଯ୍ୟ ଦ୍ୱିତୀୟ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି । ଧୈର୍ଯ୍ୟ ଧରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ କହିଥିଲେ ଶଙ୍କରାଚାର୍ଯ୍ୟମାନେ । ଶ୍ରୀଙ୍ଗେରି ସାରଦା ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ବିଧୁ ଶେଖର ଭାରତୀ ଜୀ, ଦ୍ୱାରକା ସାରଦା ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜୀ ଓ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ଆଜି ତ୍ରିବେଣୀ ସଂଗମରେ ପବିତ୍ର ବୁଡ଼ ପକାଇଛନ୍ତି । ସଂପୂର୍ଣ୍ଣ ଧାର୍ମିକ ରୀତିନୀତିରେ ଶଙ୍କରାଚାର୍ଯ୍ୟମାନେ ବୁଡ଼ ପକାଇବା ସହିତ ଦେଶର କଲ୍ୟାଣ ପାଇଁ ଆଶୀର୍ବାଦ ଦେଇଛନ୍ତି । ସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ କୁମ୍ଭ ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୁରା ମେଳାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଇଛି । ଏହା ସହିତ ନଦୀର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଘାଟଗୁଡ଼ିକରେ ମୁତୟନ ହୋଇଛନ୍ତି ଗଙ୍ଗା ସେବା ଦୂତ । ନଦୀରେ ଫୁଲ ଓ ଅନ୍ୟ ସାମଗ୍ରୀ ପଡ଼ିବା ମାତ୍ରେ ସେସବୁକୁ ଉଠାଇ ଆଣନ୍ତି ଗଙ୍ଗା ସେବା ଦୂତମାନେ । ଏହା ଦ୍ୱାରା ଗଙ୍ଗା ଓ ଯମୁନା ନଦୀ ପରିଷ୍କାର ରହୁଛି । ମହାକୁମ୍ଭ ୨୦୨୫କୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ମେଳା ପ୍ରଶାସନ ସହିତ ସ୍ଥାନୀୟ ପ୍ରଶାସନ, ପୋଲିସ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ଡଙ୍ଗା ଚାଳକ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ଦିନ ରାତି କାମ କରୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବାରେ ସଫଳ ହୋଇଛି ମହାକୁମ୍ଭ ୨୦୨୫ । ଏହାକୁ ସଫଳ ଓ ସୁରକ୍ଷିତ କରିବା ପାଇଁ ମହାକୁମ୍ଭ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି । ମହାକୁମ୍ଭର ଲୋକପ୍ରିୟତା ଓ ଏହାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତି ମିଳିଛି । ମହାକୁମ୍ଭକୁ ଆସିଥିବା ବିଦେଶୀମାନେ ଭାରତୀୟ ସଂସ୍କୃତିରେ ବହୁତ ପ୍ରଭାବିତ ହୋଇଛନ୍ତି । ଗଙ୍ଗା ନଦୀରେ ପବିତ୍ର ସ୍ନାନ କରିବା ସହିତ ସେମାନେ ଭାରତର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଅନୁଭବ କରିଛନ୍ତି । ମହାକୁମ୍ଭ ୨୦୨୫ ହେଉଛି ଆସ୍ଥା, ଏକତା ଓ ବିବିଧତାର ଏକ ପ୍ରତୀକ । ଏହା କେବଳ ଭାରତକୁ ପରିଚିତି ଦେଉ ନାହିଁ, ବରଂ ଏହା ଭାରତୀୟ ସଂସ୍କୃତିର ମହାନତାକୁ ସାରା ବିଶ୍ୱରେ ପ୍ରସାରିତ କରୁଛି । ଏହି ମହାକୁମ୍ଭ ମେଳା କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ହେଉଛି ସାମାଜିକ ଓ ସାଂସ୍କୃତିକ ଏକତାର ପ୍ରତୀକ ।