
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ଓଡିଶା ଷ୍ଟେଟ ୱର୍କଫ୍ଲୋ ଅଟୋମେଶନ ସିଷ୍ଟମ ‘ଓସ୍ୱାସ’ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ଚିରାଚରିତ ପ୍ରକ୍ରିୟାରେ ଫାଇଲ କାମ ନହୋଇ ଅନ୍ଲାଇନ୍ ମାଧ୍ୟମରେ କାର୍ଯ୍ୟାଳୟର ସମସ୍ତ ଫାଇଲ କାମ କରାଯିବ ଯାହାଦ୍ୱାରା ନଥିପତ୍ର ଜନିତ ଅହେତୁକ ବିଳମ୍ବକୁ ଦୂର କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ, ନ୍ୟାୟିକ, ବିକାଶ ଓ ଭୂମି ଅଧିଗ୍ରହଣ ବିଭାଗରେ କାର୍ଯ୍ୟକାରୀ କରାଯାଇଛି । ଗତକାଲି ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀରେ କକ୍ଷଠାରେ ଓସ୍ୱାସ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ଏବଂ ଏହି ଅବସରରେ ଜୁନ ୧୫ ସୁଦ୍ଧା କାର୍ଯ୍ୟାଳୟର ସମସ୍ତ ବିଭାଗରେ ଓସ୍ୱାସ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ଓସ୍ୱାସ କାର୍ଯ୍ୟକ୍ଷମ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ, ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଓସ୍ୱାସ ବ୍ୟବସ୍ଥାର ଉପଯୋଗୀତା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ବ୍ୟବସ୍ଥାର ପ୍ରଚଳନ ଦ୍ୱାରା କିଭଳି କମ୍ ସମୟରେ କମ କର୍ମଚାରୀଙ୍କୁ ନେଇ ଅଧିକ କାର୍ଯ୍ୟ କରାଯାଇପାରିବ ଏବଂ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିହେବ ସେ ସର୍ମ୍ପକରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଓସ୍ୱାସ ଆପ୍ଲିକେସନ୍ ମାଧ୍ୟମରେ ଗୋଟିଏ ଫାଇଲ କାମ କରି ଏହାର ଶୁଭାରମ୍ଭ କରିଥିଲେ । ଓସ୍ୱାସ ଆପ୍ଲିକେସନ୍ ମାଧ୍ୟମରେ କିଭଳି ସରକାରୀ ଅଧିକାରୀ ଏବଂ କର୍ମଚାରୀମାନେ କାମ କରିବେ , ଏହାର ଏକ ଦୁଇ ଦିନିଆ ତାଲିମ ଶିବିର ଏପ୍ରିଲ ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜି୍ଲାପାଳ ଅନନ୍ତ ନାରାୟଣ ସିଂହ ଲାଗୁରୀ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ରୀନା କୁମାରୀ ନାଏକ, ଡ. ଇପ୍ସିତା ପାତ୍ର, ଦିବାକର ବାଗ, ଆସିଷ୍ଟାଣ୍ଡ କାଲକ୍ଟର ଗୁରେଶ୍ୱର ଭୋଇ, ସୋନିଆ ମଲ୍ଲିକ, ଫାଲ୍ଗୁନୀ ଶବର, ଆଦିତ୍ୟ ଦଳବେହେରା, ଜିଲ୍ଲା ଇ-ଗଭର୍ନାନ୍ସ ଆର୍ଯ୍ୟନନ୍ଦନ ସାହୁ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।