ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌର ପରିଷଦ ସଭାଗୃହ ଠାରେ “ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩” ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ବିଶ୍ୱମ୍ଭର ମିଶ୍ର ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିପର୍ଯ୍ୟୟ ସମୟର ପୂର୍ବ ପ୍ରସ୍ତୁତି ଓ ପର ପ୍ରସ୍ତୁତି ବିଷୟରେ ବୁଝାଇଥିଲେ । ମୁକ୍ତା ଯୋଜନାର ପରାମର୍ଶଦାତା ଭୈରବ ଭେଙ୍କଟ ଜଗତରେ ବିସ୍ତୃତ ଭାବରେ ପ୍ରାକୃତିକ ଓ କୁତ୍ରିମ ବିପର୍ଯ୍ୟୟର କାରଣ ଓ ଏହାର ପୂର୍ବ ଓ ପରବର୍ତି ପ୍ରସ୍ତୁତି କିପରି ହୁଏ ତାହା ବୁଝାଇଥିଲେ । ଏହି ଅବସରରେ ପୌର ପରିଷଦର ସଭ୍ୟସଭ୍ୟା ତଥା ବିଧାୟକଙ୍କ ପ୍ରତିନିଧି ଅଜୟ ବାଲି, ଲୋକସଭା ସାଂସଦଙ୍କ ପ୍ରତିନିଧ ଶ୍ରୀମତୀ ପଙ୍କଜିନୀ ପଣ୍ଡା ତଥା ରାଜ୍ୟସଭା ସାସଂଦଙ୍କ ପ୍ରତିନିଧ ଇର୍ସାଦ ଖାନ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୌରାଂଚଳର ବିଭିନ୍ନ ବିଦ୍ୟାଳୟ ତଥା ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଉପ ନଗରପାଳ ସୁଶ୍ରୀ ଗାୟତ୍ରୀ ଭୋଇ ଯୋଗ ଦେଇଥିବା ବେଳେ ରଣଜିତ୍ ନାୟକ ସି.ଏମ୍.ଏମ୍.ୟୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ପୌର ପରିଷଦର ଅନେକ କର୍ମଚାରୀ ଉପସ୍ଥିତ ଥିଲେ ।