jayashree

ଡିସେମ୍ବର ୩ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ରୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ । ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ । ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ । ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ । ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ । ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦ୍‌ଘାଟନ କରିବେ । ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ । ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ । ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦ୍‌ଘାଟନ କରିବେ ।

Leave A Reply

Your email address will not be published.