centurian jitm

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ ଏବଂ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳ ଚଂଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ସୂଚନା ଓ ଲୋକସଂପର୍କ ବିଭାଗ ଉପ-ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ନୀଳମଣି ମିଶ୍ର, ବିଷ୍ଣୁ ପ୍ରସାଦ କେଡ଼ିଆଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ରହି ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ସଂଧ୍ୟାରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ଦିବସର ମୁଖ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଶା ବିଭାଗ ପ୍ରାଧ୍ୟାପକ ଡ. ବଳଭଦ୍ର ଦାଶ ଯୋଗ ଦେଇଥିଲେ । ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ଅତିଥି ଗଣ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଶାର ମହାନ ପୂର୍ବସୂରୀମାନେ ଯେଉଁ ନିଃସ୍ୱାର୍ଥପର ତ୍ୟାଗ ଏବଂ ଉଦ୍ୟମ କରିଥିଲେ ସେମାନଙ୍କ ସ୍ମୃତିଚାରଣ କରିା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠଭୂମି ସଂପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ସମସ୍ତେ ଚେଷ୍ଟିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଶା ବକ୍ତୃତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର ଝଙ୍କାର ବଲାଙ୍ଗିର ଦ୍ୱାରା ପ୍ରାରମ୍ଭିକ ସଂଗୀନ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି ସଭାକୁ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଓ ଜିଲ୍ଲା ସଂସ୍କୃତି ପରିଷଦ ବଲାଙ୍ଗିର ସହଯୋଗରେ କାର୍ଯ୍ୟକ୍ରମ ସଂଯୋଜକ ସ୍ୱର ଝଙ୍କାର ଅନୁଷ୍ଠାନ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚୟନ ହୋଇଥିବା ୧୨ଗୋଟି ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱର ଝଙ୍କାର ଅନୁଷ୍ଠାନର ନର୍ଦ୍ଦେଶକ ନିରଂଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!