
- ଆୟୋଜିତ ହେଲା ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଜଣାଇବା ଲାଗି ଚଳିତ ବର୍ଷ ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ଆୟୋଜନ ଅଧୀନରେ ଆଜି ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ‘ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଐତିହାସିକ ଓ ଧାର୍ମିକ ସ୍ଥାନଗୁଡ଼ିକୁ ସ୍ୱଚ୍ଛ ଓ ପରିଷ୍କାର ରଖି ଏହାର ଗୌରବମୟ ଅତୀତକୁ ସଂରକ୍ଷଣ କରିବା ସହ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ, ପୌରପାଳିକା ଏବଂ ପୌରପରିଷଦ ଅଧିନସ୍ଥ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଅବସ୍ଥିତ ପ୍ରସିଦ୍ଧ ଦେବାଳୟ ଓ ଐତିହ୍ୟସ୍ଥଳୀ ଗୁଡ଼ିକୁ ସାମିଲ କରାଯାଇଛି । ଏଥିରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଯୁବଗୋଷ୍ଠୀ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି । ଏହି ଅଭିଯାନ ଅଧୀନରେ ମନ୍ଦିର ପରିସର, ଐତିହ୍ୟସ୍ଥଳୀର ଆଖପାଖ ଅଞ୍ଚଳ ଏବଂ ସଂଲଗ୍ନ ଜଳାଶୟଗୁଡ଼ିକର ସଫେଇ କାର୍ଯ୍ୟ ସହ ପ୍ଲାଷ୍ଟିକ ବର୍ଜ୍ୟ ହଟାଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ଓଡ଼ିଆ ପକ୍ଷ ପାଳନର ଏହି ଅଂଶବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଓ ଧାର୍ମିକ ପରିଚୟକୁ ସୁରକ୍ଷିତ ରଖିବା ସହ ସ୍ଥାନୀୟ ଅଞ୍ଚଳର ପରିବେଶଗତ ସ୍ଥିତିକୁ ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଜାରି ରହି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।