
- ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ
ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଦିଲ୍ଲୀ ସ୍ଥିତ ସୁପ୍ରିମକୋର୍ଟରେ ଜାତୀୟ ଆଇନଗତ ସେବା ପ୍ରାଧିକରଣ ଆନୁକୁଲ୍ୟରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଜାତୀୟ ରିଲ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ଗାଁର ଝିଅ ଜାଗୃତି ମାଝୀ ସର୍ବ ଭାରତୀୟ ସ୍ତରରେ ରନର୍ସ (ଦ୍ଵିତୀୟ) ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ଉତ୍କଳ ବିଶ୍ୱପବିଦ୍ୟାଳୟରେ ଆଇନ ପାଠ ପଢୁଥିବା ଜାଗୃତିଙ୍କ ସହିତ ସନିଆ ଖାଁ, ଆଦ୍ୟା ଦେବପ୍ରଜ୍ଞା ପଟ୍ଟନାୟକ ଓ ସ୍ମୃତିଶିଖା ସାହୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଓ ସମ୍ମାନିତ ଅତିଥି ଭାବରେ ସୁପ୍ରିମକୋର୍ଟ ବିଚାରପତି ତଥା ନାଲସା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବି.ଆର ଗଭାଇ (ଚୟନୀତ) ସୁପ୍ରିମ କୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ତଥା ଏସସିଏଲଏସସି ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ, ଭାରତ ସରକାରଙ୍କ ଆଟୋର୍ନୀ ଜେନେରାଲ, ଡେପୁଟି ଆଟୋର୍ନୀ ଜେନେରାଲ, ଲ ସେକ୍ରେଟାରୀ (ଭାରତ ସରକାର) ଓ ସୁପ୍ରିମକୋର୍ଟ ବିଚାରପତି ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ପାଇକମାଳ ବ୍ଳକ ଜାମସେଠ ଗାଁର ପ୍ରଦୀପ ମାଝୀ ଓ ବାସନ୍ତୀ ମାଝୀଙ୍କ ଝିଅ ଅଟନ୍ତି । ଜାଗୃତି ପିଲାଦିନରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ଭବାନୀପାଟଣା ପ୍ରଗତି ବିଦ୍ୟାଳୟରେ ମାଟ୍ରିକ ପାସ ପରେ ବରଗଡ଼ ବିକାଶ କଲେଜରେ ଯୁକ୍ତଦୁଇ ପାସ କରିବା ପରେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ଇନଟ୍ରିଗେଟେଡ ଲ ପାଠ ପଢୁଛନ୍ତି । ତାଙ୍କ ବାପାଙ୍କ ଇଣ୍ଡିଆନ ବ୍ୟାଙ୍କରେ ସିନିୟର୍ ମ୍ୟାନେଜର ଥିବା ବେଳେ ମା ବାସନ୍ତୀ ମାଝୀ ଗୃହିଣୀ ଅଟନ୍ତି । ଜାଗୃତି ମାଝୀଙ୍କ ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।