ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର : ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’
ଭୁବନେଶ୍ୱର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର ଚାରୋଟି ବିଭାଗ ଯଥା- ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ମନୋନୀତ ହୋଇଛି । ‘କାଲିର ଅତୀତ’ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ନୀଳମାଧବ ପଣ୍ଡା । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଚଳଚ୍ଚିତ୍ରଟି ବର୍ତ୍ତମାନ ଏକାଡେମି ସ୍କ୍ରିନିଂ ପାଇଁ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଛନ୍ତି । ‘କାଲିର ଅତୀତ’ ଫିଲ୍ମରେ ପୀତବାଶ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପାଣିପାଗ ପରିବର୍ତ୍ତନ ଓ ସମୁଦ୍ରରେ ପାଣିର ଲେବୁଲ ବଢ଼ିବା ପରେ ଜଣେ ବ୍ୟକ୍ତି ପରିବାରକୁ ହରାଉଛି । ଏହାପରେ ସମ୍ପୃକ୍ତ ଅତୀତକୁ ଫେରି ପାଇବା ପାଇଁ ସଂଘର୍ଷ କରୁଛି, ଏହା ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି ।