- ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଯାପିତ
- ଭାଷା ସମ୍ମିଳନୀ ଓଡିଆ ଭାଷା ଇତିହାସରେ ଏକ ମାଇଲଖୁଣ୍ଟ ହୋଇ ରହିବ
- ସମ୍ମିଳନୀର ପ୍ରସ୍ତାବ ଉପରେ ନିଆଯାଇଛି ନୀତିଗତ ନିଷ୍ପତ୍ତି, ବିଧାନ ସଭାରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ
- ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବଢିଲା
- ଟେକ୍ନୋଲୋଜି ସହିତ ଭାଷାକୁ ସମନ୍ୱିତ କରିବା ଆବଶ୍ୟକ
- ଓଡିଆ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
- ଓଡିଆ ଭାଷା ଯୁବପିଢିର ଭାଷା ହୋଇପାରିଲେ, ଆମେ ସମସ୍ତେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଓଡିଆ ଭାଷା ନିଶ୍ଚୟ ଆଗକୁ ବଢିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଉଦ୍ଯାପିତ ହୋଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା । ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ଖୁବ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିଛି । ତେବେ ଯେହେତୁ ବର୍ତ୍ତମାନ ବିଧାନ ସଭା ଚାଲିଛି, ତେଣୁ, ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସେ ବିଧାନ ସଭାରେ ଘୋଷଣା କରିବେ ବୋଲି କହିଥିଲେ । ଯୁଗ ଯୁଗ ଧରି ଓଡିଆ ଭାଷା, ଆମ ଓଡିଆ ଜାତିର ପରିଚୟକୁ ଆଗକୁ ନେଇଛି ବୋଲି ମତଦେଇ ସେ ସମସ୍ତଙ୍କୁ ଗତକାଲି ମହାର୍ଘ ଅବସରରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦେଇ କହିଥିଲେ ଯେ ଆସନ୍ତୁ, ଓଡିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା । ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ ଆହ୍ୱାନ । ତେଣୁ, ଓଡିଆ ଭାଷାକୁ ଏହା ସହିତ ସମନ୍ୱିତ କରିବାକୁ ହେବ ବୋଲି ସେ ମତ ଦେଇଥିଲେ । ଯୁବ ସମାଜକୁ ଆହ୍ୱାନ ଦେଇ ସେ କହିଥିଲେ ଯେ ‘ମୁଁ ଆଶା କରୁଛି ଓଡିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ । ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମ୍ ସମସ୍ତଙ୍କ ମନକୁ ଛୁଇଁଛି । ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ସେ ଘୋଷଣା କରିଥିଲେ । ପୁରସ୍କାର ପାଇଥିବା ସବୁ ପ୍ରତିଭାମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ । ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ୱାରା ପ୍ରକାଶିତ – ଶ୍ରୀଜଗନ୍ନାଥ : ଲର୍ଡ ଅଫ୍ ଦ ୟୁନିଭର୍ସ
ଦ୍ୱିତୀୟ ପୁସ୍ତକଟି ହେଉଛି – ଓଡିଆ : ଜର୍ଣ୍ଣି ଅଫ୍ ଏ ଲାଙ୍ଗୁଏଜ୍ ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ପେସିଆଲ୍ ଇନିସିଏଟିଭ୍ସ) ଆର୍ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ୱାରା ରଚିତ ହୋଇଛି ।
ତୃତୀୟରେ ମ୍ୟାଜିକାଲ୍ ଟେଲ୍ସ୍ ଫର୍ମ ଓଡିଶା ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ । ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି । କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରେଭେନ୍ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।