jayashree

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାହୁଲଙ୍କ ରାଉରକେଲାରେ ରୋଡ୍‌ ସୋ

ରାଉରକେଲା, (ସସ୍ମିତା ପ୍ରଧାନ) : କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାଉରକେଲା ପହଞ୍ଚି ରୋଡ୍‌ ସୋ କରିଛନ୍ତି । ଏହି ଅବସରରେ ସେ ଉଦିତ ନଗର ଆମ୍ବେଦକର ଛକରୁ ଏକ ଶୋଭାଯାତ୍ରାରେ ଯାଇ ପାନପୋଷ ଛକରେ ପହଞ୍ଚିଥିଲେ । ପାନପୋଷ ଛକରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାହୁଲ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ମିଳାମିଶାରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା କହିଛନ୍ତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି । ଏହାପରେ ରାହୁଲ ଗାନ୍ଧୀ ରାଜଗାଙ୍ଗପୁର ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ ଅଭିମୁଖେ ଯାଇଥିଲେ । ଏହି ଯାତ୍ରା ସମୟରେ ଦଳର ଅନେକ ବରିଷ୍ଠ ନେତା ଓ ବିଧାୟକଙ୍କ ସମେତ ସ୍ଥାନୀୟ କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ । ଏହି ଯାତ୍ରା ସମୟରେ ଆଇନଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯିବା ସହ ରାଉରକେଲାରେ ୨୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ କର୍ମୀ ଓ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଯାତ୍ରା ସମୟରେ ରାହୁଲଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.