oum

ଓଷ୍ଟାର ଆଲୋଚନା ଚକ୍ର ‘ନୂତନ ଜାତୀୟ ଶିକ୍ଷାନୀତି’ ଅନୁଷ୍ଠିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା-ରାଉରକେଲା ସିଟି ଜୋନ ଆନୁକୂଲ୍ୟରେ ‘ନୂତନ ଜାତୀୟ ଶିକ୍ଷାନୀତି’ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତି ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସିଟି ଜୋନର ସଭାପତି ଶିଶିର କୁମାର ପାଣିଙ୍କ ସଭାପତତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଓଷ୍ଟାର ରାଜ୍ୟ ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ସମ୍ମାନିତ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ରାଜ୍ୟ ସହ ସଂପାଦକ ରଂଜନ କୁମାର ଦାସ, ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ, ଜିଲ୍ଲା ସଭାପତି ବିଭିଷଣ ବାରିକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ରମାକାନ୍ତ ମଲ୍ଲିକ, ଜିଲ୍ଲା ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରାଉରକେଲା ସିଟି ଜୋନର ସଂପାଦକ ଅରୁଣ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ଅତିଥିଙ୍କ ପରିଚୟ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ସଂଜୀବ କୁମାର ମହାନ୍ତି ବକ୍ତବ୍ୟ ରଖିଥିବା ବେଳେ ପ୍ରାରମ୍ଭରେ ଜଗଦା ସ୍ଥିତ ପ୍ରଗତି ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନିତ କରି ଶିକ୍ଷକ ସଂପର୍କରେ ମତ ରଖି କହିଲେ ଯେ, ସମାଜ ଗଠନରେ ଶିକ୍ଷକଙ୍କ ଯୋଗଦାନ ସର୍ବଦା ଅବର୍ଣ୍ଣନୀୟ । ମଣିଷ ତିଆରି କାରଖାନାର ମୁଖ୍ୟ ବିନ୍ଧାଣୀ ଶିକ୍ଷକ । ତେବେ ଜିଲ୍ଲାରେ ଓଷ୍ଟାର ଏକ ନିଜସ୍ୱ କାର୍ଯ୍ୟାଳୟ ପାଇଁ ସେ ୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଈଶ୍ୱର ଚନ୍ଦ୍ର ନାୟକ ଓଷ୍ଟାର ସଂଘର୍ଷ ଓ ଜୟ ଯାତ୍ରା ସଂପର୍କରେ ମତ ରଖିଥିବା ବେଳେ ଉପଦେଷ୍ଟା ଶ୍ରୀ ଦାଶ ନୂତନ ଶିକ୍ଷାନୀତି ଉପରେ ନିଜର ଅଭିମତ ରଖିଥିଲେ । ରାଜ୍ୟ ସହସଂପାଦକ ଶ୍ରୀ ଦାସ ଓଷ୍ଟା ପ୍ରତି ଶିକ୍ଷକଙ୍କ ବିଶ୍ୱାସନୀୟତା ଓ ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରି କହିଲେ ଯେ, ସଂଗଠନ ବିନା ଦାବୀ ପୂରଣ ହେବା ଅସମ୍ଭବ । ଏହା ସହ ସଂଗଠନ କିପରି ବହୁ ଉତ୍ଥାନ ପତନ ମଧ୍ୟରେ ଗତି କରି ନିଜସ୍ୱ ପରିଚୟ ସୃଷ୍ଟି କରିଛି, ସେ ସଂପର୍କରେ ମତ ରଖିଥିଲେ । ସମ୍ମାନିତ ବକ୍ତା ପ୍ରଫେସର ଶ୍ରୀ ସାହୁ ଆଲୋଚ୍ୟ ବିଷୟର ସକାରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋଚନା କରିବା ସହ ଜାତୀୟ ଶିକ୍ଷା ନୀତି ଶିକ୍ଷାର ମାନକୁ କେତେ ସହାୟକ ହେବ ସେ ସଂପର୍କରେ ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାନ୍ତି ପୂର୍ବ ଶିକ୍ଷାନୀତି, ସାଂପ୍ରତିକ ଶିକ୍ଷାନୀତି ସହ ନୂତନ ଜାତୀୟ ଶିକ୍ଷାନୀତି ମଧ୍ୟରେ ରହିଥିବା ପାର୍ଥକ୍ୟ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ସହ ଶିକ୍ଷକ ମାରଣ ନୀତି କିପରି ଶିକ୍ଷା, ଶିକ୍ଷକ, ଶିକ୍ଷାୟତନକୁ ବିପର୍ଯ୍ୟସ୍ତ କରିଛି, ସେଥିପାଇଁ ବକ୍ତବ୍ୟ ରଖିବା ସହ ଉଦବେଗ ପ୍ରକାଶ କରିଥିଲେ । ଶିକ୍ଷକ ସମାଜର ପୂର୍ବ ହୃଦଗୌରବକୁ ଫେରାଇ ଆଣିବା ସହ ଶିକ୍ଷାର ମାନ ବଢାଇବା ପାଇଁ ଶିକ୍ଷକ, ଅଭିଭାବକ, ଛାତ୍ରମାନଙ୍କୁ ଆହ୍ବାନ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ ବାରିକ, ସଂଯୋଜକ ଶ୍ରୀ ନାୟକ, ସିଟି ଜୋନର ସଭାପତି ଶ୍ରୀ ପାଣି ସଭାପତିତ୍ୱ ଅଭିଭାଷଣ ସହ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.