- ସନ୍ତୋଷ ଲାଲ ଅଧ୍ୟକ୍ଷା, ସୁନୀତା ସମ୍ପାଦିକା ଭାବେ ମନୋନୀତ
ବଲାଙ୍ଗିର, (କେପିଏନ୍ଏସ୍) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନର ବଲାଙ୍ଗିର ଶାଖାରେ ନୂତନ ନେତୃତ୍ୱ ନିର୍ବାଚନ ସହିତ ମହିଳା ସଶକ୍ତିକରଣ ଦିଗରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି । ୨୦୨୬ରୁ ୨୦୨୮ ବର୍ଷ ପାଇଁ ସନ୍ତୋଷ ଲାଲଙ୍କୁ ଅଧ୍ୟକ୍ଷା ଏବଂ ସୁନୀତାଙ୍କୁ ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ଦୁହେଁ ନବନିର୍ବାଚିତ ପଦାଧିକାରୀ ସଂଗଠନର ଦାୟିତ୍ୱ ଗ୍ରହଣ କରି ସମାଜସେବା ଓ ମହିଳା ଉନ୍ନତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଘୋଷଣା କରିଛନ୍ତି । ନବନିର୍ବାଚିତ ଅଧ୍ୟକ୍ଷା ସନ୍ତୋଷ ଲାଲ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ରୂପେ ମହିଳା ସଶକ୍ତିକରଣ, ସମାଜ ସୁଧାର ଓ ସାମାଜିକ ସେବାକୁ ଉତ୍ସର୍ଗିତ ରହିବ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରରେ ଉତ୍ତମ ସୁଯୋଗ ପ୍ରଦାନ କରିବା ହେଉଛି ସଂଗଠନର ମୂଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି । ସମ୍ପାଦିକା ସୁନୀତା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆସନ୍ତା ଦୁଇବର୍ଷ ଧରି ମହିଳା ସମ୍ମେଳନ ଭୂମିସ୍ତରରେ କାର୍ଯ୍ୟ କରି ମହିଳାମାନଙ୍କୁ ଆଗେଇ ଯିବା ପାଇଁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରିବ । ସେ କହିଛନ୍ତି ଯେ, କନ୍ୟାଶିକ୍ଷା, ମହିଳାମାନଙ୍କର କୌଶଳ ବିକାଶ, ସ୍ୱୟଂରୋଜଗାର, ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ କୁରୀତି ବିରୋଧରେ ବିଭିନ୍ନ ଅଭିଯାନ ଚଳାଯିବ । ଦୁହେଁ ଏହା ମଧ୍ୟ କହିଛନ୍ତି ଯେ, ସଂଗଠନର ପ୍ରତ୍ୟେକ ସଦସ୍ୟାଙ୍କୁ ସହଯୋଗରେ ନେଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ତାଙ୍କର ପ୍ରଧାନ ଦାୟିତ୍ୱ । ଏହି ଉଦ୍ଦେଶ୍ୟରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ଥାନୀୟ ସଦସ୍ୟ ଓ ସମାଜର ବରିଷ୍ଠ ବ୍ୟକ୍ତିମାନେ ସନ୍ତୋଷ ଲାଲ ଓ ସୁନୀତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇ ଆଶା ପ୍ରକାଶ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନ, ବଲାଙ୍ଗିର ସମାଜସେବା କ୍ଷେତ୍ରରେ ନୂତନ ଶିଖର ଛୁଇଁବ ।