ମୁରିବାହାଲ ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଗଣପର୍ବ ନୂଆଁଖାଇ ପାଳିତ : ଏକାଠି ନୂଆଁଖାଇଲେ ବହୁ ପରିବାରର ଶତାଧିକ ସଦସ୍ୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସର ସହିତ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଗ୍ରାମବାସୀମାନେ ପ୍ରଥମେ ନିଜ ନିଜର ଗ୍ରାମର ସମସ୍ତ ଦେବାଦେବୀ ଓ ନିଜ ନିଜ ଇଷ୍ଟଦେବତାଙ୍କୁ ନୂଆଁ ଅନ୍ନ ଭୋଗ ଲଗାଇଲା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁଖାଇ ଥିଲେ । ଏହା ପରେ ସମସ୍ତ ପରିବାରରେ ଜୁହାର ଭେଟ ଅନୁଷ୍ଠିତ ହୋଇଥିଲା । ପରିବାରର ସମସ୍ତ କନିଷ୍ଠ ସଦସ୍ୟ ନିଜ ଠାରୁ ବଡମାନଙ୍କୁ ନୂଆଁଖାଇ ଜୁହାର ଭେଟ ଜଣାଇ ଆଶୀର୍ବାଦ ନେଇଥିଲେ । ସକାଳୁ ସକାଳୁ ପରିବାରର ସମସ୍ତେ ନୂଆଁ ଲୁଗା ପରିଧାନ କରିଥିବା ବେଳେ ପରିବାରର ମହିଳାମାନେ ବିଭିନ୍ନ ରକମର ସ୍ଵାଦିଷ୍ଟ ପିଠାପଣା ସହ ଅନ୍ନଭୋଜନ ପ୍ରସ୍ତୁତିରେ ଲାଗିପଡିଥିଲେ । ପରିବାରର ମୁଖ୍ୟ ଧାନ ଜମି ସହ ଘରେ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ତଳେ ବସି ଏକାଠି ନୂଆଁଖାଇ ଥିବା ଦେଖିବାକୁ ମିଳିଥିଲା । ନୂଆଁଖାଇ ପାଇଁ ବହୁ ଦୂରଦୂରାନ୍ତରେ ଥିବା ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ନିଜ ନିଜର ଭିଟାମାଟିକୁ ଚାଲି ଆସି ଏଠାରେ ଏକାଠି ଭାଇଚାରାର ପର୍ବ ନୂଆଁଖାଇରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମାଜରେ ଆଉ ଏକାନ୍ନବର୍ତ୍ତି ପରିବାର ଦେଖିବାକୁ ମିଳୁନଥିବା ବେଳେ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରହୁଥିବା ବହୁ ପରିବାରର ଶତାଧିକ ସଦସ୍ୟମାନେ ପହଞ୍ଚି ଗୋଟିଏ ସ୍ଥାନରେ ଏକାଠି ନୂଆଁଖାଇ ଥିବା ଜଣାପଡିଛି । ମୁରିବାହାଲ ବ୍ଲକ ସଦର ମହକୁମାରେ ରହୁଥିବା ବାଗ ପରିବାରର ମୁଖ୍ୟ ବ୍ରଜକିଶୋର ବାଗଙ୍କ ସହ ବିଶି ବାଗ, କବିରାଜ ବାଗ, ତ୍ରିଲୋଚନ ବାଗ, ମହେନ୍ଦ୍ର ବାଗ, ସାମନ୍ତ ବାଗ, ପଦ୍ମଲୋଚନ ବାଗ, ସଞ୍ଜୟ ବାଗ, କୃପାସିନ୍ଧୁ ବାଗ, ବଳରାମ ବାଗ, ଅର୍ଜୁନ ବାଗ, ସୁବାସ ବାଗ, ଅଜିତ ବାଗଙ୍କ ସହ ପରିବାରର ସମସ୍ତ ମହିଳା ଓ ଶତାଧିକ ସଦସ୍ୟ ଏକାଠି ନୂଆଁଖାଇ ଥିଲେ । ସେହିପରି ବାଙ୍କେଲ ଗ୍ରାମର ପୁଟେଲପଡ଼ାରେ ଥିବା ପୂର୍ଣ୍ଣଚନ୍ଦ୍ର ପୁଟେଲଙ୍କ ପରିବାରର ସମସ୍ତ ୧୦୩ ଜଣ ସଦସ୍ୟ ଏକାଠି ବସି ନୂଆଁଖାଇ ଥିବା ଦେଖିବାକୁ ମିଳିଛି । ସେହିପରି ହଳଦୀ ଗ୍ରାମର ପଶାୟତପଡ଼ା ଚଳିତ ବର୍ଷ ମଧ୍ୟ ଏକା ସାଙ୍ଗରେ ସମସ୍ତେ ମିଳିମିଶି ନୂଆଁ ଖାଇଛନ୍ତି । ଗୋଟିଏ ଜାଗାରେ ସମସ୍ତେ ମିଶି ଏକତା ସୂତ୍ରରେ ବାନ୍ଧି ହୋଇ ନୂଆଁଖାଇ ପ୍ରକୃତ ଭାଇଚାରାର ପରିଚୟ ଦେଇଛନ୍ତି । ହଳଦୀ ପଶାୟତପଡାବାସୀ ସ୍ୱର୍ଗତ ଚକ୍ରଧର ପଶାୟତଙ୍କ ବଂଶଧର ଅଟନ୍ତି । ସମସ୍ତେ ମିଶି ୧୨୦ ଜଣ ସଦସ୍ୟ ଅଟନ୍ତି । ସମସ୍ତଙ୍କର ପେଶାକ୍ଷୌର କର୍ମ ହେଲେ ବି ଶିକ୍ଷାକୁ ଅଗ୍ରାଧିକାର ଦିଅନ୍ତି । ଏହି ପରିବାରର କିଛି ସଦସ୍ୟ ଭାରତୀୟ ସେନାବାହିନୀରେ ମଧ୍ୟ ସେବା ଯୋଗାଇଥିବା ଜଣାଯାଏ ତଥା ଶିକ୍ଷା ବିଭାଗରେ ଅଧ୍ୟାପନା କରୁଛନ୍ତି । ଏହି ନୂଆଁଖାଇ ଆୟୋଜନରେ ପରିବାରର ସୁଦର୍ଶନ ପଶାୟତ, ଘନଶ୍ୟାମ ପଶାୟତ, ଋଷଭ ପଶାୟତ, ବେଣୁଧର ପଶାୟତ, ଅକ୍ଷୟ ପଶାୟତ, ବସନ୍ତ ପଶାୟତ, ବିନୋଦ ପଶାୟତ, ସବ୍ୟସାଚୀ ପଶାୟତ, ଅଧ୍ୟାପକ ଦିଲୀପ କୁମାର ପଶାୟତ, ଶ୍ରୀରାମ ପଶାୟତ, ଧନୀରାମ ପଶାୟତ ତଥା ପଶାୟତପଡ଼ାର ସମସ୍ତ ମହିଳା ଓ ଯୁବଗୋଷ୍ଠୀ ସାହାଯ୍ୟ ସହଯୋଗ କରିଥିଲେ । ସେହିଭଳି ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମରେ ବିଭିନ୍ନ ପରିବାରର ଶତାଧିକ ସଦସ୍ୟମାନେ ଏକାଠି ନୂଆଁଖାଇ ଭାଇଚାରାର ଏହି ପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି । ରବିବାର ଦିନସାରା ବ୍ଲକ ଅଞ୍ଚଳରେ ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିଲେ ମଧ୍ୟ ନୂଆଁଖାଇର ଉତ୍ସାହକୁ ଫିକା କରିପାରିନାହିଁ । ନୂଆଁଖାଇ ପାଇଁ ଯୁବଗୋଷ୍ଠୀ ସୋସିଆଲ ମିଡିଆରେ ନିଜ ତଥା ନିଜ ପରିବାରର ଫଟୋ ପଠାଇ ନୂଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.