ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥାଇ ମଧ୍ୟ ନଥିଲା ସଙ୍ଗେ ସମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ରୋଗୀ ଦୈନନ୍ଦିନ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଏଠାରେ ପ୍ରାୟ ଡାକ୍ତରଙ୍କ ହାତରେ ଚିକିତ୍ସା ମିଳିବା ଭାଗ୍ୟରେ ଥିଲେ ମିଳେ । କାରଣଟି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଡାକ୍ତର ସବୁବେକେ ଡିଉଟିରେ ନଥାନ୍ତି । କେବଳ ଜଣେ ଫାର୍ମାସିଷ୍ଟ ଦିନ ରାତି ଏଠାରେ କାର୍ଯ୍ୟରତ । ଯାହା ଜାଣନ୍ତି, ଯାହା ପାରନ୍ତି ମନ ଲଗାଇ କାମକରନ୍ତି । ସେ ହେଲେ ଚିତ୍ତରଞ୍ଜନ ଦାଶ । ଆଜକୁ ୬ ମାସ ହେଲା ଏଠାରେ ଦୁଇଜଣ ଯୁବ ଡାକ୍ତର ଅଭିଷେକ ପଟ୍ଟନାୟକ, ଫୁଲ ଟାଇମ ଡାକ୍ତର ଓ ଅଭିଳାଷ ମହାନ୍ତି ସପ୍ତାହରେ ୩ ଦିନ ଡେପୁଟେସନ ଡାକ୍ତର ଯୋଗଦାନ କରି ଥିଲେ । ପ୍ରଥମେ ପ୍ରଥମେ ଡାକ୍ତର ଦ୍ୱୟ ସୁନ୍ଦର ଭାବରେ ସମୟ ଅନୁସାରେ ଆସି ରୋଗୀ ସେବା କରୁଥିଲେ । ଦେଖିଲେ ଏଠାରେ ସବୁ ଶାନ୍ତି ପ୍ରିୟ ଲୋକ ରହୁଛନ୍ତି । ତେଣୁ ମନରେ ଗୋଟିଏ ଚିନ୍ତା କଲେ ଯେ, ସବୁଦିନ କାହିଁକି ପଦ୍ମପୁରରୁ ପାଇକମାଲ ଦୁଇଜଣ ଯାକ ଆସିବା, ୭ ଦିନରେ ତିନି ଦିନ ଲେଖାଏଁ ଆସିବା ବୋଲି ମନସ୍ଥ କରି ଚଳାଇଛନ୍ତି ତାଙ୍କର ଡିଉଟି । ଜଣେ ଡାକ୍ତର ସପ୍ତାହକରେ ତିନି ଦିନ ଆସିଲେ ମଧ୍ୟ କେହି କିଛି ଡାକ୍ତର ମାନଙ୍କୁ କହନ୍ତି ନାହିଁ । ଅନ୍ୟ ପକ୍ଷରେ ଡାକ୍ତରଖାନା ଖୋଲିବା ସମୟ ହେଉଛି ସକାଳ ପ୍ରାୟ ୭ଟା ସକାଳରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ । କିନ୍ତୁ ଡାକ୍ତର ବାବୁ ସକାଳ ୯ଟା ସମୟରେ ଆସି ୧୧ଟାରେ ଘରକୁ ଚାଲି ଯାଆନ୍ତି । ଆଉ ଉପର ବେଳା ତାଙ୍କର କୁଆଡେ ଛୁଟି । ଅପରାହ୍ନରେ ରୋଗୀମାନେ ଆସି ଡାକ୍ତରଙ୍କୁ ନ ପାଇ ଫାର୍ମାସିଷ୍ଟଙ୍କ ଠାରେ କାମ ଚଳାଇ ନିଅନ୍ତି । ତେବେ ଗରିବ ଲୋକଙ୍କୁ ଭଗବାନ ସାହା ଭଲି ପୂର୍ବରୁ ପାଇକମାଲ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର ଶ୍ରୀଧର ପ୍ରଧାନ ପାଇକମାଲରୁ ବିଜେପୁର ସ୍ଥାନାନ୍ତର ହୋଇଛନ୍ତି । ଡାକ୍ତର ଶ୍ରୀଧର ପ୍ରଧାନ, କିଛି ମାସ ହେବ ପାଇକମାଲରେ ଏକ କ୍ଲିନିକ ଖୋଲିଛନ୍ତି । ତେଣୁ ଲୋକଙ୍କୁ ତ ଚିକିତ୍ସା ଦରକାର ସବୁ ରୋଗୀ ତାଙ୍କ ପାଖକୁ ଯାଇ ପଇସା ଦେଇ ଚିକିତ୍ସା ହେଉଥିବାର ଦେଖାଯାଉଛି । ଡାକ୍ତର ଶ୍ରୀଧର ପ୍ରଧାନ ବିଜେପୁର ସରକାରୀ ଚିକିତ୍ସାଳୟରେ ସୋମବାର, ମଙ୍ଗଳବାର ୨ଦିନ କାମକରି ପାଇକମାଲ ଆସି ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ତାଙ୍କ କ୍ଲିନିକରେ ରୋଗୀ ମାନଙ୍କଠୁ ପାଉଣା ନେଇ ସେବା ଦିଅନ୍ତି । ତେବେ ଏହି ସରକାରୀ ଡାକ୍ତରମାନଙ୍କ ଦରମା ପୁରା ବିଲ୍‌ ହୁଏ ନା, ଅଧା ଦରମା ସେମାନଙ୍କୁ ଫୋକଟ ମିଳେ ଏନେଇ ବର୍ତ୍ତମାନ ପାଇକମାଲରେ ଚାୟ ପେ, ଦୋକାନ ପେ, ପାନ ଦୋକାନ ପେ ଫୁଟପାଥ୍‌ ପେ ଚର୍ଚ୍ଚା ହେଉଛି । ପାଇକମାଲ ନାଗରିକ କମିଟି କର୍ମକର୍ତ୍ତା ମାନେ, ତଥା ବୁଦ୍ଧିଜୀବୀ ମାନେ ଡାକ୍ତର ମାନଙ୍କ ମନମୁଖୀ ସେବାକୁ ନିନ୍ଦା କରିଛନ୍ତି । ଏନେଇ ସାମ୍ବାଦିକମାନେ ଅନେକ ଥର ବରଗଡ ସିଡିଏମ୍‌ଓଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବା ଜଣାପଡିଛି । ଏହି ଅସୁବିଧା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବୀ ହୁଏ ।

Leave A Reply

Your email address will not be published.