
- ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ଵନୟ ନେଇ ସମୀକ୍ଷା
ସୁନ୍ଦରଗଡ଼, (କେପିଏନ୍ଏସ୍) : ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଭାସ୍କର ଜ୍ୟୋତି ଶର୍ମାଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିବସରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଯୋଜନା, ପ୍ରକଳ୍ପ ଆଦି ଉପରେ ସମୀକ୍ଷା କରିଥିଲେ । ବୈଠକରେ ଜିଲ୍ଲାପାଳ ମନୋଜ ମହାଜନ ସମଗ୍ର ଜିଲ୍ଲାର ଭୌଗଳିକ ଅବସ୍ଥିତି ଉପରେ ଉପସ୍ଥାପନ କରିବା ସହିତ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ । ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଳାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ଡାକ୍ତର, ଅଣ ଡାକ୍ତର, ପାରା ମେଡିକାଲ ଷ୍ଟାଫ, ସ୍ୱାସ୍ଥ୍ୟ ମିତ୍ର ମାନଙ୍କ ତଥ୍ୟ ଉପସ୍ଥାପନ କରିବା ସହିତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଉପରେ ଉପସ୍ଥାପନ କରିଥିଲେ । ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ନଳକୂପ, ଗ୍ରାମୀଣ ଗୃହ ନିର୍ମାଣ, ଅନ୍ତୋଦୟ ଗୃହ ଯୋଜନା, ସ୍ୱଚ୍ଚ ଭାରତ ମିଶନ, ଏମ ଜି ଏନ୍ ଆର୍ ଇ ଜି ଏ ତଥା ଓରମାସ ଏବଂ ଓଡ଼ିଶା ଜୀବିକା ମିଶନ ଦ୍ୱାରା ଜିଲ୍ଲାର ବିଭିନ୍ନ ଜୀବିକା ସମ୍ପର୍କିତ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ପି ଏମ୍ ଶ୍ରୀ ଯୋଜନା , ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଭର୍ଚୁଆଲ ଷ୍ଟୁଡିଓ ଉପରେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଏବଂ ହଷ୍ଟେଲ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଅବସ୍ଥିତି, ଛାତ୍ରବୃତ୍ତି ଆଦି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଭଦ୍ରା ଯୋଜନା ଏବଂ ଡିଜିଟାଇଜେସନର ସ୍ଥିତି, କେତେ ଆବେଦନ ଗ୍ରହଣ ହେଇଛି, କେତେ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ତାହା ଉପରେ ଉପସ୍ଥାପନ କରିବା ସହିତ ଜିଲ୍ଲାର ଅଙ୍ଗନୱାଡ଼ି ଗୁଡ଼ିକର ସ୍ଥିତି, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପିଲାମାନଙ୍କର ପୋଷଣ, ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଆଦି ଉପରେ ଆଲୋକପାତ କରିଥିଲେ । ସେହିଭଳି ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଭତ୍ତା ବଣ୍ଟନ, ବିଦ୍ୟୁତକରଣ, କାମଧେନୁ ଯୋଜନା, ଜିଲ୍ଲାର ବୃହତ୍ ଶିଳ୍ପ ,ମଧ୍ୟମ ଶିଳ୍ପ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଅମୃତ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ଅଧିନିୟମ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଅଧିନିୟମ , ରାସନ୍ କାର୍ଡର ଅବସ୍ଥିତି, ଅଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡ ବାଦ୍ ଦେବା, ପି ଡି ଏସ ବଣ୍ଟନ ବ୍ୟବସ୍ଥା ଆଦି ଉପରେ ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଷମା ବିଲୁଙ୍ଗ, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେ, ବଣାଇ ବନଖଣ୍ଡ ଅଧିକାରୀ ଲଳିତ ପାତ୍ର, ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।