centurian jitm

ଡାକ୍ତର କର୍ତ୍ତବ୍ୟରେ ଅବହେଳା ନ କରି ସେବାଭିମୁଖୀ ହୁଅନ୍ତୁ : ନରସିଂହ

nschool
  • ଭୀମଭୋଇ ମେଡିକାଲ୍‌ ସମସ୍ୟାକୁ ନେଇ ଡିନ୍‌ ଓ ସୁପରିଟେଣ୍ଡେଣ୍ଟ୍‌ଙ୍କ ସହ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର କିଛି ବିଭାଗର ଚିକିତ୍ସାକୁ ନେଇ ଅବହେଳା ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି । ବିଶେଷ କରି ଅସ୍ତିଶଲ୍ୟ, ଶଲ୍ୟ, ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ରୋଗୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରୁ ଆସୁଛି । ତେଣୁ ଏହାର ଉପରେ ଆଲୋଚନା ତଥା ଏ ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ମେଡିକାଲ କଲେଜର ଏଡ୍‌ମିନିଷ୍ଟ୍ରେଟିଭ୍‌ କୋଠାରେ ଅବସ୍ଥିତ କାର୍ୟ୍ୟାଳୟରେ କଲେଜ ଡିନ୍‌ ଡା. ସବିତା ମହାପାତ୍ର ଏବଂ ସୁପରିଟେଣ୍ଡେଣ୍ଟ ଡା. ମାନସୀ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକ ଶ୍ରୀ ମିଶ୍ରଙ୍କ ପାଖକୁ ରୋଗୀଙ୍କ ସମେତ ସାଧାରଣ ନାଗରିକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ସର୍ଜରୀ ବିଭାଗରେ ସର୍ଜରୀ ପାଇଁ ଟଙ୍କା ଦାବି କରୁଥିବା ଅଭିଯୋଗ ସହ ସାଧାରଣ ସର୍ଜରୀ ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ଆସିଛି । ଏପରି କି ମେଡିକାଲ କଲେଜ ହସ୍‌ପିଟାଲ ଆରମ୍ଭ ହେଲା ଦିନରୁ ସହର ମଧ୍ୟରେ ଗଢି ଉଠିଥିବା ଛୋଟ ବଡ ଘରୋଇ ଡାକ୍ତରଖାନାକୁ କିଛି ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତରମାନେ ଦଲାଲଙ୍କ ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା ତଥା ସର୍ଜରୀ ପାଇଁ ପ୍ରବର୍ତ୍ତାଉ ଥିବାର ଅଭିଯୋଗ ଆସୁଛି । ଏଣୁ ଏପରି ସର୍ଜରୀ ଗୁଡାକ ମେଡିକାଲ କଲେଜରେ ନ କରାଇ କାହିଁକି ଘରୋଇ ଡାକ୍ତରଖାନାମାନଙ୍କୁ ପଠାଯାଉଛି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଲୋଚନା ସମୟରେ ହୃଦରୋଗୀଙ୍କ ପାଇଁ ଦରକାର ହେଉଥିବା ଇସିଜି, ଆଶୁ ଚିକିତ୍ସା ବିଭାଗରେ ଉପଲବ୍ଧ ନହେଉଥିବାର ଆଲୋଚନା ହୋଇଥିଲା । ଆଗକୁ ଯେପରି ହୃଦ୍‌ରୋଗୀମାନେ ଠିକ୍‌ ହିସାବରେ ଇସିଜିର ସୁବିଧା ପାଇ ପାରିବେ ତା’ ଉପରେ ଧ୍ୟାନ ଦେବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଡାଏଲେସିସ ବିଭାଗ, ଡାକ୍ତର ସମସ୍ୟା ତଥା ଅନ୍ୟାନ୍ୟ ପଦବୀ ଗୁଡିକର ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଗକୁ ଯେମିତି ହାଇଡ୍ରୋସିଲ, ହାର୍ନିଆ, ଗଲ୍‌ ବ୍ଲଡର୍‌ ଷ୍ଟୋନ୍‌ ସହ ଅର୍ଥୋପେଡିକ୍‌ ସର୍ଜରୀ ଗୁଡିକ ଠିକ୍‌ ହିସାବରେ ହୋଇପାରିବ, ସେ ଉପରେ ଡାକ୍ତରମାନେ ଧ୍ୟାନ ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଡିନ୍‌ ଓ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବିଧାୟକ ଶ୍ରୀ ମିଶ୍ର, ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ଡା. ପଣ୍ଡା, ଡିନ୍‌ ଡା. ମହାପାତ୍ର ଏବଂ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ମନୀଷ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.