କଂଗ୍ରେସ ବିଧାୟକ ନରସିଂହଙ୍କ ଗଡ଼ରେ ବିଜେଡ଼ିର ଏକ ତରଫା ବିଜୟ : ସହରରେ ଆଲୋଚନା ସର୍‌ଗରମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ପୌର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ବିଧାୟକ ନରସିଂହଙ୍କ ଗଡ଼ରେ ବିଜେଡ଼ିର ଏକ ତରଫା ବିଜୟ ସ୍ପଷ୍ଟ ହୋଇଯାଇଛି । ନିକଟରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ବିଶେଷ କିଛି ସଫଳତା ମିଳି ନଥିବା ବେଳେ ଚଳିତ ପୌର ନିର୍ବାଚନର ବିଫଳତା ହେତୁ କଂଗ୍ରେସ ଦଳକୁ ବଲାଙ୍ଗିର ମାଟିରେ ବଡ଼ ଝଟ୍‌କାର ସାମ୍ନା କରିବାକୁ ପଡ଼ିଛି । ବଲାଙ୍ଗିର ପୌର ପରିଷଦକୁ ହାତେଇବା ପାଇଁ କଂଗ୍ରେସ ବେଶ୍‌ ଚେଷ୍ଟା କରିଥିଲା । ତୁହାକୁ ତୁହା ପ୍ରଚାର ସହ ନିଜେ ଖୋଦ୍‌ ବିଧାୟକ ନରସିଂହ ମିଶ୍ର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଜବର୍‌ଦସ୍ତ ପ୍ରଚେଷ୍ଟା ଜାରି ରଖିଥିଲେ । କିନ୍ତୁ ବିଜେଡ଼ି ବହୁ ମାର୍ଜିନ୍‌ ନେଇ ବିଜୟର ଝଣ୍ଡା ଟେକିଥିବା ବେଳେ କଂଗ୍ରେସକୁ ହତାଶ ହେବାକୁ ପଡ଼ିଛି । କଂଗ୍ରେସ ହାତକୁ ମାତ୍ର ୪ଟି କାଉନ୍‌ସିଲର୍‌ ଆସନ ଆସିଥିବା ବେଳେ ପୌରାଧ୍ୟକ୍ଷା ପଦବୀ ହାତଛଡ଼ା ହୋଇଛି । ଅନ୍ୟପକ୍ଷରେ ବିଜେଡ଼ି ୧୬ଟି କାଉନ୍‌ସିଲର୍‌ ଆସନ ଅକ୍ତିଆର କରି ଅଧ୍ୟକ୍ଷା ଆସନ ସାଉଁଟି ନେଇଛି । ତେବେ କଂଗ୍ରେସ ବିଧାୟକ ନରସିଂହଙ୍କ ଗଡ଼ରେ ବିଜେଡ଼ିର ଏକ ତରଫା ବିଜୟକୁ ନେଇ ସହରରେ ଆଲୋଚନା ସର୍‌ଗରମ୍‌ ହେବାରେ ଲାଗିଛି ।

Leave A Reply

Your email address will not be published.